୭ ବର୍ଷ ଅପେକ୍ଷା ପରେ ହୋଇଥିଲା ଉଦଘାଟନ, ହେଲେ ଉଦଘାଟନର ୨୪ ଘଣ୍ଟା ନପୂରୁଣୁ ନୂତନ ଓଭରବ୍ରିଜରେ ଦେଖାଦେଇଛି ବିଭ୍ରାଟ

ସମ୍ବଲପୁର : ସମ୍ବଲପୁରବାସୀଙ୍କ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ବହୁ ଅପେକ୍ଷିତ କଚେରୀ ଛକରୁ ଧୁଚୁରାପଡା ଛକ ପର୍ଯ୍ୟନ୍ତ ଦ୍ୱିତୀୟ ଓଭରବ୍ରିଜର ଉଦଘାଟନ ଶୁକ୍ରବାର ଅପରାହ୍ନରେ ହୋଇଛି । ବହୁ ବାଦବିବାଦ ଓ ଅବ୍ୟବସ୍ଥା ମଧ୍ୟରେ ନିର୍ମିତ ଏହି ଓଭରବ୍ରିଜର ଉଦଘାଟନ ପରେ ମଧ୍ୟ ଏହାର ଅବ୍ୟବସ୍ଥା ଓ ବିବାଦ ପିଛା ଛାଡୁନାହିଁ । ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ଓ ନିର୍ମାଣ ଅବଧିର ୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ବିଳମ୍ବରେ ଏହି ବ୍ରିଜର ଉଦଘାଟନ କାର୍ଯ୍ୟକ୍ରମ ଏକ ରାଜନୈତିକ ଆଖଡାସ୍ଥଳ ପାଲଟିଥିବା ବେଳେ ଉଦଘାଟନ ପରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଜନତାଙ୍କୁ ଯାତାୟାତ କରିବାରୁ ବନ୍ଦ କରିଦିଆଯାଇଥିଲା ।

ତେବେ ଜନତାଙ୍କ ତୀବ୍ର ଅସନ୍ତୋଷକୁ ଧ୍ୟାନରେ ରଖି ଉଦଘାଟନର ପ୍ରାୟ ୨୪ ଘଣ୍ଟା ପରେ ଶନିବାର ଅପରାହ୍ନରେ ଜନତାଙ୍କୁ ଯାତାୟାତ ପାଇଁ ସୁଯୋଗ ଦିଆଯାଇଥିବା ବେଳେ, ଉଦଘାଟନର କିଛି ସମୟ ପରେ ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ମଧ୍ୟରେ ଅନେକ ଚାଲୁନଥିବାର ଦେଖାଯାଇଥିଲା । ଏହାକୁ ଶନିବାର କିଛିଟା ସଜଡା ଯାଇଥିବା ବେଳେ, ସନ୍ଧ୍ୟା ସମୟରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ହୋଇଯାଇଥିଲା । ଲକ୍ଷ୍ମୀ ଟକିଜ ଛକ ଉପରେ ଯାଇଥିବା ବ୍ରିଜର ଗୋଟିଏ ପଟର ଷ୍ଟ୍ରିଟ ଲାଇଟଗୁଡିକ ଆପେ ଆପେ ବନ୍ଦ ହୋଇଯାଇ ଧପଧପ କରୁଥିଲା ।

ବ୍ରିଜର ସର୍ଭିସ ରାସ୍ତା, ଟ୍ରାଫିକ ବ୍ୟବସ୍ଥା, ରାସ୍ତା ମଧ୍ୟରେ ରହିଥିବା ଫାଟ ଆଦି ବିଭିନ୍ନ ବିଷୟକୁ ନେଇ ଏବେ ମଧ୍ୟ ବିବାଦ ଜାରି ରହିଥିବା ବେଳେ, ଜିଲା ପ୍ରଶାସନ ସମସ୍ତ ବିଷୟକୁ ଢ଼ାଙ୍କି କାମ ଚଳାଇ ନେବାକୁ ଉଦ୍ୟତ ହେଉଥିବା ବେଳେ ଏହି ଓଭରବ୍ରିଜ ଏବେ ଗୃହ ପ୍ରବେଶ ପୂର୍ବରୁ ଚାଳ ବାଜବା ସଦୃଶ ହୋଇଛି । ପ୍ରଥମରୁ ଯଦି ଏଭଳି ଦୁରାବସ୍ଥା ତାହା ହେଲେ ଆଗାମୀ ଦିନରେ କ’ଣ ହେବ ବୋଲି ସହରବାସୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *