ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ଓରକେଲ ଥାନାର ଜଣେ ପୁଲିସ କର୍ମଚାରୀ ଅମାନୁଷିକ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । କିଛି କାରଣ ନଥାଇ ଜଣେ ଯୁବ ବାଇକ ଚାଳକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ପୁଲିସ ଜଣକ ରାଜରାସ୍ତା ଉପରେ ଜଣେ ବାଇକ ଚାଳକଙ୍କ ଗାଲକୁ ଚାପୁଡା ମାରୁଥିଲେ ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଜିଲ୍ଲା ଓ ପୁଲିସ ପ୍ରଶାସନ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
