ଯାଜପୁର : ପାଇପଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ପାଇଁ ବ୍ୟାସନଗର ସହରରେ ପାଇପ୍ ବିଛା କାର୍ଯ୍ୟ ଜାରି ରହିଛି । ହେଲେ ଏହି କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନମାନୀ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୨ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ମୁଖ୍ୟ ରାସ୍ତା ନଷ୍ଟ ହେଉଛି । ରାସ୍ତା ଉପରେ କରାଯାଉଥିବା ବଡ଼ ବଡ଼ ଗାତ ସଠିକ୍ ଭାବରେ ପୋତା ଯାଉନାହିଁ । ଫଳରେ ଲୋକେ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଅନ୍ୟାନ୍ୟ ସମସ୍ୟା ଭୋଗ କରୁଛନ୍ତି । ଏଥି ସହିତ ରାସ୍ତା ଖୋଳିବା ଯୋଗୁଁ ପାଣି ପାଇପ୍, ଫୋନ୍ ଲାଇନ୍ ଓ ଇଣ୍ଟରନେଟ କେବୁଲ୍ ଆଦି ନଷ୍ଟ ହେଉଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
ଯାଜପୁର ଜିଲ୍ଲା ବ୍ୟାସନଗର ସହରାଞ୍ଚଳରରେ ଘରକୁ ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ପାଇଁ ଏଠାରେ ପାଇପ୍ ବିଛା କାର୍ଯ୍ୟ ଜାରି ରହିଛି । ହେଲେ ଗେଲ (GAIL : Gas Authority of India Limited) ଅଧିନରେ ଏହି କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଭାରତ ଗ୍ୟାସ୍ ରିସୋର୍ସେସ୍ ଲିମିଟେଡ଼ର ମନମାନୀ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସହରର ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ମୋଟା ମୋଟା ପାଇପ୍ ପଡ଼ିରହିଛି । ଏଥି ସହିତ ପାଇପ୍ ଭର୍ତ୍ତି ପାଇଁ ରାସ୍ତା ଉପରେ କରାଯାଉଥିବା ଗାତଗୁଡ଼ିକୁ ମଧ୍ୟ ପୋତା ଯାଉନାହିଁ । ଫଳରେ ରାସ୍ତା ସଂକୁଚିତ ହେଉଥିବା ବେଳେ ଲୋକେ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଅନ୍ୟାନ୍ୟ ସମସ୍ୟା ଭୋଗ କରୁଛନ୍ତି । ପ୍ରତ୍ୟେକ ଦିନ ଲୋକଙ୍କ ଧନ ଜୀବନ ବିପଦ ମୁହଁକୁ ଟାଣିହେଇଯାଉଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ପ୍ରଥମେ ଅର୍ବାନ ଏରିଆ ବା ସହରାଞ୍ଚଳରେ ପାଇପ୍ ଲାଇନ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ନିକଟରେ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପାଥେୟ କରି ବ୍ୟାସନଗର ଏକ ବ୍ୟସ୍ତ ବହୁଳ ସହର ହୋଇଥିବା ବେଳେ, ଏହାର ମୁଖ୍ୟ ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଯାତାୟାତ କରିଥାଏ । ହେଲେ ମୁଖ୍ୟ ରାସ୍ତା ଖୋଳି ଦେବା ଯୋଗୁଁ ରାସ୍ତା ସଂକୁଚିତ ହେବା ସହ ଦୁର୍ଘଟଣା ବି ଘଟୁଛି । ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ନିର୍ମାଣ ହେଉଥିବା ରାସ୍ତା ମଧ୍ୟ ନଷ୍ଟ ହେଉଛି । ଏହା ସହିତ ମାଟି ତଳେ ଯାଇଥିବା ପାଣି ପାଇପ୍, ଫୋନ୍ ଲାଇନ୍ କେବୁଲ୍ ଓ ଇଣ୍ଟରନେଟ କେବୁଲ୍ ଆଦି ନଷ୍ଟ ହେଉଛି । ଏଥିପ୍ରତି ସତେ ଯେମିତି କାହାରି ନିଘା ନାହିଁ ।
ଏହି କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ସ୍ଥାନୀୟ ସିଭିଲ ସୋସାଇଟି ପକ୍ଷରୁ ଯାଜପୁର ରୋଡ଼ ଥାନା ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ସିଭିଲ ସୋସାଇଟି, ସହରବାସୀ ଓ ଭାରତ ଗ୍ୟାସ୍ ରିସୋର୍ସେସ୍ କତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ସମ୍ପୃକ୍ତ ସଂସ୍ଥାକୁ ତାଗିଦ୍ କରାଯାଇଛି । ଖୁବଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଆହୁରି ଅନେକ ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।
