ନବରଙ୍ଗପୁର : ଦୁର୍ଗମ ଇଲାକାରେ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର । ଝୁମ୍ପୁଡି କୁଡ଼ିଆରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । ସାତ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ଶ୍ରେଣୀଗୃହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କଣ୍ଟାଗାଁ କ୍ଲଷ୍ଟର ଅନ୍ତର୍ଗତ ଘୁମରାଦୋରା ସ୍କୁଲରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ।
ଏହି ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ୨ ଜଣ ଶିକ୍ଷକ । ୭ ବର୍ଷ ତଳେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା ଏବଂ ୧୪ ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମାଣ ଆରମ୍ଭ ହୋଇଥିଲା ।
କିନ୍ତୁ ବିଡମ୍ବନାର ବିଷୟ ଯେ ଆଜି ଯାଏ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ତେଣୁ ପଲିଥିନ ଟାଙ୍ଗି ବାଉଁଶ ନିର୍ମିତ କୁଡିଆରେ ଚାଲିଛି ଶିକ୍ଷାଦାନ । ଖରା ଓ ଶୀତ ଦିନେରେ ବହୁ କଷ୍ଟରେ ଶିକ୍ଷାଦାନ ହେଉଥିବା ବେଳେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ପିଲାଙ୍କୁ ।
ପିଇବା ପାଣି ପାଇଁ କୌଣସି ବ୍ୟବସ୍ତା ନଥିବା ବେଳେ ଗାଁ କୁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ । ପିଲାଙ୍କ ମଧ୍ୟାନ୍ନ ଭୋଜନ ମଧ୍ୟ ଅନ୍ୟ ଜଣକ ଘରେ ରନ୍ଧା ଯାଇ ପିଲାଙ୍କୁ ଦିଆଯାଉଛି । ଉକ୍ତ ଗାଁ ରେ ଅଙ୍ଗନବାଡି କେନ୍ଦ୍ର ଟିଏ ମଧ୍ୟ ନଥିବା ଯୋଗୁ ୩ କିଲୋମିଟର ଦୂର ଏକ ଜାଗାକୁ ପିଲା ଯାଉଥିବାର ଅଭିଯୋଗ ମଧ୍ୟ ହେଉଛି ।
