ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ୍ ହେବ । ରାଜ୍ୟ ସରକାରଙ୍କ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଅଧୀନରେ ଥିବା ଓର୍ସାକ୍ ଏହାର ଡାଟାବେସ୍ ପ୍ରସ୍ତୁତ କରିବ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟିର ଗତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କିନ୍ତୁ ଯେଉଁ କଥାଟି ଏବେ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଆନ୍ଦୋଳିତ କରୁଛି ତାହା ହେଲା-ଯେଉଁ ଜମିର ଡିଜିଟାଇଜେସନ୍ କରିବା କଥା ପରିଚାଳନା କମିଟି ନିଷ୍ପତ୍ତି ନେଇଛି, ତାର ସମ୍ପୂର୍ଣ୍ଣ ତଥ୍ୟ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରେ ମିଶି ମହାପ୍ରଭୁଙ୍କ ନାଁ’ରେ ସମୁଦାୟ ୬୦ ହଜାର ଏକର ଜମି ରହିଥିବାବେଳେ, ମାତ୍ର ୩୪ ହଜାର ଏକର ଜମିର ରେକର୍ଡ ଖୋଜି ବାହାର କରିପାରିଛି ଶ୍ରୀମନ୍ଦିର ପ୍ରଶାସନ । ଅର୍ଥାତ୍ ପ୍ରାୟ ୨୬ ହଜାର ଏକର ଜମିର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ । ମହାପ୍ରଭୁଙ୍କ ଏହି ଜମି କାହା ଭୋଗ ଦଖଲରେ ଅଛି, ଏଠାରୁ ବର୍ଷକୁ ବର୍ଷ ଆସୁଥିବା ପ୍ରାପ୍ୟ ସଂପୃକ୍ତ ପ୍ରଜା ଖାଉଛନ୍ତି କି ଆଉ କେଉଁ ବଡ଼ବଡ଼ିଆଙ୍କ ପକେଟ୍କୁ ଯାଉଛି, ଏନେଇ ସମସ୍ତେ ଅନ୍ଧାରରେ ଅଛନ୍ତି । ସୁତରାଂ, ଡିଜିଟାଇଜେସନ୍ ଲକ୍ଷ୍ୟ କିଭଳି ଫଳପ୍ରସୁ ହେବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
୨୦୧୮ରେ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ଜମିଜମା ସମ୍ପର୍କିତ ରିପୋର୍ଟ ମାଗିଥିଲେ । ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନାମରେ ୬୦,୪୨୬.୯୪୩ ଏକର ଜମି ଥିବା ଦର୍ଶାଇଥିଲା । କିନ୍ତୁ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିରୁ ମାତ୍ର ୩୪,୨୦୦.୯୭୬ ଏକର ଜମିର ସ୍ବତ୍ବ (ରେକର୍ଡ ଅଫ୍ ରାଇଟ୍ସ) ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ପ୍ରଶାସନ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ । ଏହି ସୂଚନା ପରେ ସୁପ୍ରିମକୋର୍ଟ ବାକି ଜମିର ରେକର୍ଡ ପ୍ରମାଣପତ୍ର ୬ ମାସ ଭିତରେ ଜମା ଦେବାକୁ କହିଥିଲେ । କିନ୍ତୁ ବାକି ଜମିର ସ୍ଥିତାବସ୍ଥା ସମ୍ପର୍କରେ ଅଦ୍ୟାବଧି ସୁପ୍ରିମକୋର୍ଟଙ୍କୁ ସୂଚନା ପ୍ରଦାନ କରାଯାଇନାହିଁ । ସେପଟେ ରାଜସ୍ବ ବିଭାଗ ଓ ଆଇନ ବିଭାଗର ମନ୍ଥରତା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶର ୪ ବର୍ଷ ପରେ ମାତ୍ର ୬ ଶହ ଏକର ଜମିର ରେକର୍ଡ ଖୋଜି ବାହାର କରିପାରିଛି ଶ୍ରୀମନ୍ଦିର ପ୍ରଶାସନ ।
ସୂଚନା ଅଧିକାର ବଳରେ ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ନାଁରେ ବିଭିନ୍ନ କିସମର ୬୦,୪୨୬.୯୪୩ ଜମି ରହିଥିବାବେଳେ ଏଥିରୁ ଓଡ଼ିଶାର ୨୪ଟି ଜିଲ୍ଲାରେ ୬୦,୦୩୧.୯୪୩ ଏକର ଜମି ରହିଛି । ଦେଶର ଅନ୍ୟ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଜମି ରହିଛି । ୬ଟି ରାଜ୍ୟରେ ଚିହ୍ନଟ ଜମିରୁ ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨.୯୩୦ ଏକର ଜମି ଚିହ୍ନଟ ହୋଇଛି । ସେହିଭଳି ମହାରାଷ୍ଟରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୨୫.୧୧୦ ଏକର, ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ଛତିଶଗଡ଼ରେ ୧.୭୦୦ ଏକର ଓ ବିହାରରେ ୦.୨୭୪ ଏକର ଜମି ରହିଛି । ଅନ୍ୟପକ୍ଷରେ ରାଜ୍ୟ ଭିତରେ ଚିହ୍ନଟ ଜମିରୁ ଖୋର୍ଦ୍ଧା ଜିଲ୍ଲାରେ ୫୮୨.୨୫୫ ଏକର ଜମି ରହିଛି । ଯାହା ଓଡ଼ିଶା କାଜୁ ଉନ୍ନୟନ ନିଗମକୁ ଲିଜ୍ ଆକାରରେ ପ୍ରଦାନ କରାଯାଇଛି ।
ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ୍ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି ଭି ଯାଦବ କହିଛନ୍ତି, ଆମେ ଜମିଜମାର ଡିଜିଟାଇଜେସନ୍ ପାଇଁ ଓର୍ସାକ୍କୁ ପ୍ରସ୍ତାବ ଦେଇଛୁ । ଓର୍ସାକ୍ ଆମକୁ ଡିପିଆର୍ ଦେବା ପରେ ସେହି ଅନୁଯାୟୀ ସ୍ବତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ ହେବ, ଯେଉଁଥିରେ ମହାପ୍ରଭୁଙ୍କ ସମସ୍ତ ଜମିର ରେକର୍ଡ ରହିବ । କିନ୍ତୁ ଯେଉଁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହାପ୍ରଭୁଙ୍କ ଜମିର ସମ୍ପର୍ଣ୍ଣ ରେକର୍ଡ ନାହିଁ, ସେଠି କିଭଳି ଏହି ଯୋଜନା କାର୍ଯ୍ୟକାରୀ କେମିତି ହେବ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ଶ୍ରୀମନ୍ଦିରର ବିଭିନ୍ନ ବ୍ୟାଙ୍କରେ ୩୮ଟି ଆକାଉଣ୍ଟ ରହିଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି । ମିଳିଥିବା ସୂଚନା ମୁତାବକ, ୩୮ଟି ବ୍ୟାଙ୍କ ଆକାଉଣ୍ଟରୁ ୩୩ଟି ଆକାଉଣ୍ଟ ପୁରୀର ବିଭିନ୍ନ ବ୍ୟାଙ୍କରେ ଖୋଲାଯାଇଛି । ଗୋଟିଏ ଆକାଉଣ୍ଟ ଭୁବନେଶ୍ବର ଓ ଅନ୍ୟ ଗୋଟିଏ ଆକାଉଣ୍ଟ ଜଟଣୀରେ ରହିଛି । ଯେଉଁଥିରୁ ୨୬ଟି ଆକାଉଣ୍ଟ ଦାନ ଗ୍ରହଣ ପାଇଁ ବ୍ୟବହାର କରାଯାଉଛି ।
