ବାଲେଶ୍ଵର : ଏସଟିଏଫ୍ କବଜାରେ ବ୍ରାଉନସୁଗାର ବେପାରୀ । ଆଜି ସ୍ଥାନୀୟ ପୁଲିସ୍ ସହାୟତାରେ ଏସଟିଏଫ୍ ଟିମ୍ ବାଲେଶ୍ଵର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ୧ କିଲୋ ୬୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।
ବ୍ରାଉନସୁଗାର ଡିଲ କରୁଥିବା ଦୁଇ ମାଫିଆକୁ ଗିରଫ କରାଯାଇଛି । ଦୁଇ ମାଫିଆ ହେଲେ ଏସ.କେ ରାଜୁ ଓ ଅମଜାଦ ଖାନ। ରାଜୁର ଘର ବାଲେଶ୍ଵର ସହରର ଆଜିମାବାଦ ଅଞ୍ଚଳରେ ଏବଂ ଅମଜାଦର ଘର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ଉଭୟ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ହିରୋ ସିଡି ଡିଲକ୍ସ ବାଇକ୍ ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରାଯାଇଥିଲା । ଉଭୟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଅବକାରୀ ବିଭାଗ ତରଫରୁ ଜଳେଶ୍ଵର ଓ କମର୍ଦ୍ଦା ଅଞ୍ଚଳରେ ଚଢ଼ାଉ କରାଯାଇ ପାଖାପାଖି ୧ କିଲୋ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଥିଲା ।
