ଭୁବନେଶ୍ବର : ରାଜନେତା, ଶିଳ୍ପପତି, ବ୍ୟବସାୟୀ, ଚଳଚ୍ଚିତ୍ର ପ୍ରଯୋଜକଙ୍କ ଭଳି ନାମୀଦାମୀ ଲୋକଙ୍କୁ ହନିଟ୍ରାପ୍ରେ ଫସାଇ ବିପୁଳ ଅର୍ଥ ଉପାର୍ଜନ କରିବା ଓ ପରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ମାମଲା ଏବେ ବି ରାଜ୍ୟରେ ହଇଚଇ ସୃଷ୍ଟି କରିଛି । କିନ୍ତୁ ଏହି ମାମଲାରେ ପୁଲିସ କେବଳ ବ୍ଲାକ୍ମେଲର୍ ଅର୍ଚ୍ଚନାଙ୍କୁ ଗିରଫ କରି ଚୁପ୍ ବସିଛି । ଘଟଣାକୁ ଚାପିଦେବାକୁ କମିସନରେଟ୍ ପୁଲିସ ଯଥା ସମ୍ଭବ ଉଦ୍ୟମ କରୁଛି । ଏମିତି ଅଭିଯୋଗ କରି ସୋମବାର ଦିନ ବିଜେପି କମିସନରେଟ୍ ପୁଲିସକୁ ଘେରିଛି । ଏକ ଶୋଭାଯାତ୍ରାରେ ବାହାରି ବିଜେପି କର୍ମୀମାନେ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ବିଜେପି ପକ୍ଷରୁ କୁହାଯାଇଛି ଯେ ଅର୍ଚ୍ଚନାଙ୍କ ସହ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ, ବିଧାୟକ, ପ୍ରତିଷ୍ଠିତ ବ୍ୟବସାୟୀ, ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ଅଥଚ ଏପର୍ଯ୍ୟନ୍ତ କମିସନରେଟ୍ ପୁଲିସ ତଦନ୍ତକୁ ସେ ଦିଗରେ ନେଉନାହିଁ । ତେଣୁ ପ୍ରକୃତ ସତ୍ୟ ପଦାକୁ ଆସିପାରୁନାହିଁ । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଦୁ ଚାନ୍ଦ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ବି ପୁଲିସ ଜେରା କରିନାହିଁ । ଏମିତିକି ପୁଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣୁନାହିଁ । କାହା ଚାପରେ କମିସନରେଟ୍ ପୁଲିସ ତଦନ୍ତକୁ ଦୁର୍ବଳ କରି ପ୍ରକୃତ ସତ୍ୟକୁ ଚାପିବାକୁ ବସିଛି ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ହିମାଂଶୁ ଶେଖର ଛୋଟରାୟ, ସ୍ବୟଂସେବକ ରାୟ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ ।
