ଵଣାଇ : ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜା ମୁଣ୍ଡା ପଞ୍ଚାୟତର ବଡ ତୁମକଳା ଗ୍ରାମରେ ଥିବା ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ଶ୍ରମିକଙ୍କ ପ୍ରତି ସୁରକ୍ଷାର ଅବହେଳା ଯୋଗୁଁ ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ବିଗତ ଦିନରେ ଏହି କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟି ଅକାଳରେ ଶ୍ରମିକମାନଙ୍କ ପ୍ରାଣହାନୀ ଘଟୁଥିଲେ
ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ଶ୍ରମ ବିଭାଗ ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି ।
ସୁଚନା ଅନୁସାରେ କାରଖାନାରେ ବର୍ତ୍ତମାନ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଗତ କାଲି ସନ୍ଧ୍ୟା ୫ଟା ସମୟରେ ମୃତ ଶ୍ରମିକ ମାନସ ଶିଡିରେ ଚଢି ୱେଲ୍ଡିଙ୍ଗ କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ତାଙ୍କୁ କମ୍ପାନୀ ଆମ୍ବୁଲାନ୍ସ ଯୋଗେ ଵଣାଇ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଶବକୁ ମର୍ଗ ହାଉସ୍ ରେ ରଖାଯାଇ, ଆଜି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଲହୁଣୀପଡ଼ା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ମାନସ ଗିରି (୨୩) ତାଙ୍କ ଘର କେନ୍ଦୁଝର ଅଞ୍ଚଳରେ ହୋଇଥିବା ବେଳେ କିଛି ଦିନ ହେବ ସେମାନେ ସପରିବାର ଗମଲେଇ ଗ୍ରାମରେ ଭଡ଼ାରେ ରହୁଥିଲେ । ଶ୍ରମିକଙ୍କ ମୃତ୍ୟୁ ପରେ ଗତକାଲି ରାତିରେ ଶ୍ରମିକ ସଂଗଠନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟରେ ବୁଝାମଣା ହୋଇ ଅନୂକମ୍ପା ମୂଳକ ସହାୟତା ରାଶି ବାବଦରେ ମୃତକଙ୍କ ବାପାକୁ ୯ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅନ୍ୟଷ୍ଟି କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ନଗଦ ପ୍ରଦାନ କରାଯାଇଛି ।
