ଵଣାଇ : ଦୀର୍ଘ ୩୦ ଦିନରୁ ଅଧିକ ସମୟ ଧରି ଵଣାଇ ଉପଖଣ୍ଡର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଥିବା ଯୋଗୁଁ, ଧନଜୀବନ ନଷ୍ଟ ହେବା ସହିତ ଚାଷୀମାନଙ୍କ ବ୍ୟାପକ ଫସଲ ହାନି ହେବା ଫଳରେ ଧନଜୀବନର ସୁରକ୍ଷା ଦାବିରେ ଆଜି ଵଣାଇ ସିପିଆଇ ଏମ୍ ପକ୍ଷରୁ ଵଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଵଣାଇ ଦେଓଗାଁ ଛକ ନିକଟରୁ ଶହ ଶହ ସଂଖ୍ୟାରେ ସିପିଆଇ ଏମ୍ କର୍ମୀ ବିରାଟ ରାଲିରେ ଆସି ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦଳର ନେତାମାନେ ହାତୀ ଉପଦ୍ରବ ରୋକିବା ନିମନ୍ତେ ବିଭିନ୍ନ ପ୍ରକାର ନାରାବାଜି କରିବା ସହିତ, ବନଖଣ୍ଡ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିବାବେଳେ, ସ୍ଥାନୀୟ ପୋଲିସ ପକ୍ଷରୁ ବୁଝାସୁଝା କରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ପରେ ବିଧାୟକଙ୍କ ସହିତ ଦଳର ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ଜିଲ୍ଲା ପରିଷଦ ସଭ୍ୟା ଶୁଶିଳା ମୁଣ୍ଡା, ବିଧାୟକ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ, ବାଣେଶ୍ଵର ସାହୁ, ଓମନ୍ତ ମାହାନ୍ତ, ଆନନ୍ଦ ମାସୀ ହାରୋ, ପ୍ରଦୀପ ଜିତ ପ୍ରମୁଖ ଏକ ୧୦ ଜଣିଆ ପ୍ରତିନିଧି ଦଳ ବଣାଇ ବନଖଣ୍ଡ କାର୍ଯ୍ୟାଳୟକୁ ଯାଇ ବନଖଣ୍ଡ ଅଧିକାରୀ ଦାୟିତ୍ୱରେ ଥିବା ସୁନ୍ଦରଗଡ଼ର ଅଧିକାରୀ ପ୍ରଦୀପ ଦେବଦାସ ମିରାଶେଙ୍କୁ ସାକ୍ଷାତ କରିବା ସହିତ ବନଖଣ୍ଡ ସଭାଗୃହ ଠାରେ ସମସ୍ତ ରେଞ୍ଜ ଅଧିକାରୀ, ଵଣାଇ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ, ଏଏସଆଇ ବରୁଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ହାତୀ ଉପଦ୍ରବରୁ ଧନଜୀବନ ରକ୍ଷା ସହିତ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ସାହାଯ୍ୟ ପ୍ରଦାନ ନିମନ୍ତେ ସଵିଶେଷ ଆଲୋଚନା କରିଥିଲେ ଏବଂ ସପ୍ତାହେ ମଧ୍ୟରେ ସମସ୍ତ ଦାବି ପୂରଣ ପାଇଁ ଚେଷ୍ଟା କରିବା ନିମନ୍ତେ ବନଖଣ୍ଡ ଅଧିକାରୀ ପ୍ରତିଶୃତି ଦେଇଛନ୍ତି ।
