ବାରିପଦା : ସକାଳେ ସୁନା ଚେନ୍ ଝାମ୍ପିଲେ । ରାତିରେ ଦୋକାନୀଙ୍କୁ ଲୁଟିଲେ । ବାରିପଦା ପୋଲିସକୁ ଛିନତାଇ ଗ୍ୟାଙ୍ଗ୍ର ଖୋଲା ଚ୍ୟାଲେଞ୍ଜ । ଗୁରୁବାର ସକାଳେ ବାରିପଦା ସଦର ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଘଟଣା ପରେ ଏବେ ରାତିରେ ଟାଉନ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଲୁଟ୍ ହୋଇଛି । ରାତି ୯ଟା ୩୦ ସମୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା ଓ ଗହଣା ବ୍ୟାଗ୍ ଛଡାଇ ନେଇଛନ୍ତି । ଯାହା ଫଳରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଗୁରୁବାର ସକାଳ ୫.୩୦ ମିନିଟ ସମୟରେ ଦୁଇ ଜଣ ମହିଳା ପ୍ରାତଃ ଭ୍ରମଣରେ ବାରିପଦା ବ୍ଲକ ଦେଇ ଯାଉଥିଲେ । ଏହି ସମୟରେ ଜଣେ ଯୁବକ ଆସି ସେମାନଙ୍କ ଠାରୁ ସୁନା ଚେନ୍ ଲୁଟି ନେଇ ଦୌଡି ପଳାଇଥିଲା । ଲୁଟର ଶିକାର ହୋଇଥିବା ମହିଳା ରତ୍ନ ମଂଜରୀ ନାଥଙ୍କ ସ୍ୱାମୀ ମନହର ନାଥ ଏନେଇ ଥାନାରେ ଏତଲା ଦେଇଥିଲେ । ଏନେଇ ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରାତି ପ୍ରାୟ ୯.୩୦ ସମୟରେ ଆଉ ଏକ ଲୁଟ୍ ହୋଇଛି । ବିଜୁଳି କାଟ୍ର ସୁଯୋଗ ନେଇ କଚେରୀ ମାର୍କେଟର ଗହଣା ଦୋକାନୀ ବିଜୟ ସିଂ ଦୋକନ ବନ୍ଦ କରି ବାରିପଦା ଟାଉନ ଥାନା ଦେଇ ଘରକୁ ଫେରିବା ବାଟରେ ଛିନତାଇର ଶିକାର ହୋଇଛନ୍ତି । ଏକ କଳା ପଲସରରେ ଜଣେ ଦୁର୍ବୃତ୍ତ ବିଜୟ ସିଂଙ୍କ ଠାରୁ ଟଙ୍କା ଓ ଗହଣା ବ୍ୟାଗ୍ ଛଡାଇ ନେଇଥିବା ଜଣାପଡିଛି । ଯାହା ଫଳରେ ବିଜୟ ବାଇକ୍ରୁ ତଳେ ପଡ଼ି ତାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ମଧ୍ୟ ଲାଗିଛି ।
ଗୋଟିଏ ଦିନରେ ଥାନା ନିକଟରୁ ସକାଳେ ଓ ରାତିରେ ଦୁଇଟି ଚୋରି ଘଟଣା ବାରିପଦା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଛିନତାଇ ଗ୍ୟାଙ୍ଗ୍ । ତେବେ ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ଚୋରୀ, ଡକାୟତି, ଛିନତାଇ ଭଳି ଅପରାଧ ବୃଦ୍ଧି ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ । ଯାହା ଫଳରେ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
