ଭୁବନେଶ୍ବର : କାହା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ? ବୀମା କମ୍ପାନି ନା ଚାଷୀ ; ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଚଳିତ ବର୍ଷ ୩ ବୀମା କମ୍ପାନି ପ୍ରିମିୟମ୍ ବାବଦରେ ୧୩୭୮କୋଟି ଟଙ୍କା ପାଇଛନ୍ତି । କିନ୍ତୁ ଏଥିରୁ ସେମାନଙ୍କୁ ମାତ୍ର ୨୭୪ କୋଟି ଟଙ୍କା ଦେବାକୁ ଥିଲେ ମଧ୍ୟ ସେଥିରୁ ମଧ୍ୟ ବକେୟା ୪୭ କୋଟି ଟଙ୍କା ନଦେଇ ଚାଷୀଙ୍କ ସହ ଖେଳୁଛନ୍ତି ।
ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ଜିଲ୍ଲାର ଜଣେ ମଧ୍ୟ ଚାଷୀ ବୀମା ଟଙ୍କା ପାଇବେ ନାହିଁ । ମୟୂରଭଞ୍ଜ ଜିଲ୍ଲା ନାମମାତ୍ର ୦.୨୦ କୋଟି, ଗଜପତି ୦.୦୨, କୋରାପୁଟ ୦.୦୧, କନ୍ଧମାଳ ୦.୦୬ କୋଟି ଟଙ୍କା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବୀମା କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର ଟଙ୍କା ନଦେଇ ଚାଷୀଙ୍କ ଆବେଦନ ତ୍ରୁଟିପୂର୍ଣ୍ଣ ରହିଥିବା ଦର୍ଶାଇଛି । କ୍ଷତି ନହୋଇ ମଧ୍ୟ ଚାଷୀ ବୀମା ଟଙ୍କା ପାଇଁ ଆବେଦନ କରିଥିବା କହିଛି । ଏଥିଯୋଗୁଁ କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଏବଂ ବୀମା କମ୍ପାନି ବୈଠକରେ କ୍ଷତିଗ୍ରସ୍ତ ଚାଷୀଙ୍କ ସଂପର୍କରେ ଆଉ ଥରେ ଆକଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
୨୦୧୬ ଫେବ୍ରୁଆରି ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆରମ୍ଭ କରିଥିଲେ । ଏଥି ଅନ୍ତର୍ଗତରେ ମରୁଡ଼ି ସମେତ ବିଭିନ୍ନ କାରଣରୁ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଇଥିଲା । ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଥିବା ଜାତୀୟ କୃଷି ବୀମା ଯୋଜନା ଏବଂ ରୂପାନ୍ତରିତ କୃଷି ବୀମା ଯୋଜନା ଥିଲା । ଏଥିରେ ସମବାୟ ସମିତିରୁ ଋଣ ନେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଉଥିଲା । ଏଥିରେ ଚାଷୀ, କେନ୍ଦ୍ର ଏବଂ ରାଜ୍ୟ ସରକାର ଅଂଶୀଦାର ଥିଲେ । ବ୍ଲକକୁ ୟୁନିଟ୍ ଭାବେ ନିଆଯାଉଥିବାରୁ ଚାଷୀଙ୍କୁ ବୀମା ଟଙ୍କା ପାଇବା ପାଇଁ ସମସ୍ୟା ହେଉଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ, କେନ୍ଦ୍ର, ରାଜ୍ୟ ସରକାର ପ୍ରିମିୟମ ବୀମା କମ୍ପାନିକୁ ଦେଲେ, କମ୍ପାନି ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଥିଲା । ମାତ୍ର କମ୍ପାନିଗୁଡ଼ିକର ମନମାନି ଯୋଗୁଁ ପ୍ରତିବର୍ଷ ଟଙ୍କା ପାଇବାରେ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସେମାନେ ନିଜ ହକରୁ ବଞ୍ଚିତ ହୋଇଛନ୍ତି । ପ୍ରିମିୟମ ଦାଖଲ କରି ମଧ୍ୟ ସେମାନେ କ୍ଷତି ସହୁଛନ୍ତି ।
