ଭୁବନେଶ୍ୱର : ବେକାରୀଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଖାଲିପଦ ପୂରଣ କରାଯାଉ ନଥିବା ବେଳେ କେବଳ ଠିକା ନିଯୁକ୍ତି ଦେଇ ସେମାନଙ୍କୁ ପ୍ରତାରଣା ଦିଆଯାଉଛି । ଅନ୍ୟପକ୍ଷରେ ଠିକା ନିଯୁକ୍ତି ଯୋଗୁ ରାଜ୍ୟରେ ଦୁର୍ନୀତି ବଢ଼ୁଥିବା ଅଭିଯୋଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅନ୍ୟପକ୍ଷରେ ଖାଲିଥିବା ପଦ ପୂରଣ ପାଇଁ ବିଭାଗଗୁଡିକୁ ନିର୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି ।
ଶୁକ୍ରବାର ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଶୀର୍ଷକ ‘ଠିକା ନିଯୁକ୍ତିରେ ଚାଲିଛି ଓଡ଼ିଶା ସରକାର’ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝି କହିଥିଲେ ଯେ, ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ କରି ବାହାବା ନେଉଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରାଉଛନ୍ତି, କିନ୍ତୁ ବେକାରୀଙ୍କ ପାଇଁ ଏଥିରେ କିଛି ନାହିଁ । ରାଜ୍ୟରେ ୨ ଲକ୍ଷ ୨୬ ହଜାର ପଦ ଖାଲି ପଡିଛି । ସେଥିରେ ନିୟମିତ ନିଯୁକ୍ତି ଦିଆଯାଉନି । ସରକାର ଠିକା ନିଯୁକ୍ତିରେ କାମ ଚଳାଉଛନ୍ତି ।
ଆଉଟସୋର୍ସିଂ ଜରିଆରେ ଦିଆଯାଉଥିବା ଠିକା ନିଯୁକ୍ତିରେ ବେକାର ଯୁବକ ଯୁବତୀଙ୍କୁ ପ୍ରତାରଣା କରାଯାଉଛି । ଠିକା ନିଯୁକ୍ତି ଯୋଗ ଦୁର୍ନୀତି ବଢ଼ୁଥିବା ସେ କହିଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, କରୋନା ସମୟରେ ଲକ୍ଷାଧିକ ଲୋକ ଓଡ଼ିଶା ଫେରିଥିଲେ । ରାଜ୍ୟ ସରକାର ସେମାନଙ୍କୁ କାମ ଯୋଗାଇ ପାରିଲେନାହିଁ । ପୁଲିସ କନେଷ୍ଟବଳଠୁ ଡାକ୍ତର, ଶିକ୍ଷକ ଆଦି ସବୁ ପଦରେ ଠିକା ନିଯୁକ୍ତି ଚାଲିଛି । ଗୋଟିଏ କାର୍ଯ୍ୟାଳୟରେ ସମାନ କାମ କରୁଥିବା ନିୟମିତ କର୍ମଚାରୀ ଓ ଠିକା କର୍ମଚାରୀ ଭିତରେ ଦରମା ତାରତମ୍ୟ ବହୁତ ଅଧିକ । ଠିକା କର୍ମଚାରୀ ଆର୍ଥିକ କ୍ଷତିଗ୍ରସ୍ତ ସହ ଅସୁରକ୍ଷିତ ମଣୁଛନ୍ତି । ଫଳରେ କାମର ଗୁଣବତ୍ତା ପ୍ରଭାବିତ ହେଉଛି । ତା’ ଛଡା ଠିକା ନିଯୁକ୍ତି ଯୋଗୁ ଦୁର୍ନୀତି ବଢ଼ୁଥିବା ସେ କହିଥିଲେ ।
ଖାଲିପଦରେ ନିୟମିତ ନିଯୁକ୍ତି ଦେଲେ ସରକାରଙ୍କ ବଳକା ବଜେଟ ତଳକୁ ପଳାଇବ । ବେକାରୀଙ୍କୁ ବନ୍ଧକ ଶ୍ରମିକ ଭଳି ଖଟାଯାଉଛି । ଠିକା ନିଯୁକ୍ତିକୁ କେବେ ବନ୍ଦ କରିବେ ଜଣାଇବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ରାଜ୍ୟରେ ମୂଳ ପଦର ୩୪ ପ୍ରତିଶତ ଖାଲିପଡିଛି, କିନ୍ତୁ ରାଜ୍ୟ ସରକାର ପୂରଣ ନକରି ଠିକା ନିଯୁକ୍ତି ଦେଉଛନ୍ତି । ଲୋକଙ୍କୁ ବୋକା ନ ବନେଇ ନିୟମିତ ନିଯୁକ୍ତି ଦେବାକୁ ସେ ଦାବି କରିଥିଲେ । ବିଧାୟକ ଭୂପିନ୍ଦର ସିଂହ କହିଥିଲେ ଯେ ଠିକାନିଯୁକ୍ତି କେବଳ ଓଡ଼ିଶାରେ ନୁହେଁ ବରଂ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଚାଲିଥିବା ଦୃଷ୍ଟାନ୍ତ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନା ପ୍ରସଙ୍ଗ ଉଠାଇବା ସହ ଏଭଳି ନିଯୁକ୍ତି ଉପରେ ପ୍ରଶ୍ନ କରିଥିଲେ । ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ସାଏ ଏହି ଆଲୋଚନାରେ ଅଂଶଗ୍ରହଣ ସରକାରଙ୍କ ସପକ୍ଷରେ ମତ ରଖିଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ୧୯୯୯ରେ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନଥିଲା । କର୍ମଚାରୀଙ୍କ ଦରମାରେ ସବୁ ରାଜସ୍ବ ଯାଉଥିଲା । ତାକୁ ନିୟନ୍ତ୍ରଣ କରିବାକୁ ସ୍ଥାୟୀ ନିଯୁକ୍ତି ବନ୍ଦ କରାଯାଇଥିଲ। ଏବେ ସ୍ଥିତି ବଦଳିଛି । ନିଯୁକ୍ତି ଦେବାରେ କିଛି ସମସ୍ୟା ନାହିଁ । ଖାଲିପଦ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗଗୁଡିକୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ପୂଜାରୀ କହିଥିଲେ ।
