ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଵଣାଇ ଉପଖଣ୍ଡରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଛାତଗୁଡ଼ିକରେ ବର୍ଷା ଜଳ ସଂରକ୍ଷଣ ସହିତ ଭୂପୃଷ୍ଠରେ ଜଳସ୍ତର ବୃଦ୍ଧି କରିବା ନିମନ୍ତେ ଗତ ଦୁଇବର୍ଷ ତଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ, ଏହାର କାର୍ଯ୍ୟକାରିତା ଓ ସ୍ଥାୟୀତ୍ବକୁ ନେଇ ଉଠିଛି ପ୍ରଶ୍ନ । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ନିମ୍ନମାନର ଉପକରଣ ଯଥା ପିଭିସି ପାଇପ, ସିମେଣ୍ଟରେ ତିଆରି ହୋଇଥିବା ନନ୍ଦ, ତାର ଢାକୁଂଣୀ ଯୋଗୁଁ ଅନେକ ସ୍ଥାନରେ ସକପିଟଗୁଡିକ ଭାଙ୍ଗିଯାଇ ଡଷ୍ଟବିନ ଭାବେ ଢ଼ାକୁଂଣୀ ଶୂନ୍ୟ ହୋଇ ପଡ଼ିରହିଛି । ଅନେକ ଗୁଡ଼ିଏ କୋଠାରେ ଶୁଖିଲା ପତ୍ର, ଧୂଳି ମାଟି ଜମା ହୋଇ ପାଇପଗୁଡିକ ବନ୍ଦ ହେବା ସହ, ଅନେକ ସ୍ଥାନରେ ନିମ୍ନ ମାନର ପାଇପ ଯୋଗୁଁ ତାହା ଫାଟି ଯିବା ଫଳରେ ବର୍ଷା ଜଳ ସଠିକ ମାର୍ଗରେ ସଂରକ୍ଷଣ ସ୍ଥାନକୁ ଆସି ନପାରି ରାସ୍ତା ଉପରେ ବୋହି ଯାଉଥିବା ଦେଖିବାକୁ ମିଳିଛି ।

ଫଳରେ ଜଳ ସଂରକ୍ଷଣ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଟି ଅସଫଳ ହୋଇ ବାଟବଣା ହେବାରେ ଲାଗିଛି। ଯ ଦ୍ଵାରା କି ଜିଲ୍ଲା ଖଣିଜ ପ୍ରତିଷ୍ଠାନର କୋଟି କୋଟି ଟଙ୍କା, କେବଳ ଠିକାଦାର ପୋଷିବାର ମାଧ୍ୟମ ସାଜିଛି। ନିଅଣ୍ଟିଆ ବର୍ଷା ଯୋଗୁଁ ବର୍ତ୍ତମାନ ରାଜ୍ୟର ଅଧିକାଂଶ ନଦୀ, ନାଳ, ପୋଖରୀ ଶୁଖିଲା ରହିଛି। ଜଳାଶୟଗୁଡିକ ଶୁଖିଲା ପଡ଼ିବା ଯୋଗୁଁ ଏହାର ପ୍ରଭାବ ଭୂପୃଷ୍ଠର ଜଳସ୍ତର ଉପରେ ପଡୁଛି । ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।
ମୌସୁମୀ ବର୍ଷାର ଅଭାବ ସହିତ ରୁକୁଡା ଡ଼୍ୟାମର ବିପର୍ଯ୍ୟସ୍ତ କେନାଲ ବ୍ୟବସ୍ଥା ଯୋଗୁ ଏ ବର୍ଷ ଵଣାଇର ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାଘାତ ହେବା ସହ, ମରୁଡିର ଆଶଂକା ଦେଖା ଦେଇଛି । ପରିବେଶର ଅସନ୍ତୁଳ ଯୋଗୁଁ ଆସନ୍ତା କିଛି ବର୍ଷ ପରେ ରାଜ୍ୟରେ ଭୟକଂର ଜଳ ସମସ୍ୟା ସୃଷ୍ଟି ହେବା ନେଇ ପରିବେଶ ବିତ୍ ଆଶଂକା କଲେଣି ଏବେ ବିଭିନ୍ନ ସ୍ଥାନରେ ଜଳର ଚାହିଦା ବଢ଼ି ଚାଲିଥିବା ବେଳେ ଜଳ ସଂରକ୍ଷଣ ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ନ ଦେବା ନେଇ ଵଣାଇର ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।
