ନିଖୋଜ ଥିବା ନାବାଳିକା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଵଣାଇ : ଵଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରାରୁ ସାନଝରଣକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଆଜି ସକାଳୁ ଏକ ନାବାଳିକା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସାନଝରଣ ଗ୍ରାମର ସୁମତି ମୁଣ୍ଡା ବୟସ (୧୬) ସନ୍ଧ୍ୟାରେ ନିକଟସ୍ଥ ନଳକୂପକୁ ପାଣି ଆଣିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ରାତିରେ ଘରଲୋକ ଅନେକ ଖୋଜାଖୋଜି କଲେ ମଧ୍ୟ ଝିଅର କୈାଣସି ଖୋଜଖବର ପାଇନଥିଲେ । ଆଜି ସକାଳୁ ସେହି ରାସ୍ତା ଦେଇ ଗ୍ରାମବାସୀ ଯାତାୟତ କରିବା ସମୟରେ ସୁମତିର ମୃତଦେହ ଦେଖିଥିଲେ । ମୃତ ନାବାଳିକାର ହାତ ଓ ବେକରେ କ୍ଷତ ଚିହ୍ନ ଥିବା ସହ ନିଜେ ପିନ୍ଧିଥିବା ଚୂନରି ଟି ବେକରେ ଗୁଡେଇ ହୋଇଥିବା ଦେଖିବାକୁ ମିଳିଛି । ଫଳରେ କେହି ଦୂର୍ବୁତ ହତ୍ୟା କରି ରାସ୍ତା କଡରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଟିକାୟତ ପାଲି ପୋଲିସ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *