ଖପରାପଦା : ସୁବର୍ଣ୍ଣରେଖା ବନ୍ଦରକୁ ସମର୍ଥନ କରି ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବାଲିଆପାଳ ଶିକ୍ଷିତ ବେକାରୀ ସଂଘ ପକ୍ଷରୁ ନିବେଦନ କରାଯାଇଛି । ତାହା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବାଲିଆପାଳ ଶିକ୍ଷିତ ବେକାରୀ ସଂଘ । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୋୖମୁଖ ଠାରେ ସମୁଦ୍ର ବେଳା ଭୂମିରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ବହୁ ବାଧା ବିଘ୍ନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇ ନଥିଲା ବେଳେ ଦିନ ପରେ ଦିନ ଗଡି ଚାଲିଛି ।ବାଲିଆପାଳ ବ୍ଲକର ବହୁ ଯୁବକ ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବାଲିଆପାଳ ଅଂଚଳରେ ବନ୍ଦର ହେଲେ ଏହା ବିଶ୍ୱଦରବାରରେ ନିଜର ପରିଚୟ ସୃଷ୍ଟି କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଉନ୍ନତି ଘଟିବ । ତତ ସହିତ ସ୍ଥାନୀୟ ଅଂଚଳର ଯୁବକମାନେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ସ୍ଥାନୀୟ ବନ୍ଦରରେ ଚାକିରୀର ସୁଯୋଗ ପାଇ ପାରିବେ । ଏଣୁ ବନ୍ଦରକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବାକୁ ବାଲିଆପାଳ ଅଂଚଳରେ ଥିବା ଶିକ୍ଷିତ ବେକାରୀ ସଙ୍ଘ ପକ୍ଷରୁ ଦାବୀ କରିଛନ୍ତି । ତାହା ନ ହେଲେ ଆଗାମୀ ଦିନରେ ଏହି ସଂଘ ରାଜରାସ୍ତାକୁ ଉହ୍ଲେଇବ ବୋଲି ସାମ୍ବାଦିକ ସମିଳନୀ ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଆଜି ବାଲିଆପାଳର ପାରୁଳିଆଛକ ସ୍ଥିତ ଶ୍ରୀ ଦୂର୍ଗା କଲ୍ୟାଣ ମଣ୍ତପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବାଲିଆପାଳ ଶିକ୍ଷିତ ବେକାରୀ ସଂଘର ସଭାପତି ଯୁବ ସମାଜସେବୀ ରିଙ୍କୁ ରଞ୍ଜନ କର, ଉପସଭାପତି ନଗେନ୍ଦ୍ର ଜେନା, ସୌମ୍ୟ ରଂଜନ ବିଶ୍ବାଳ, ଦୀପକ କୁମାର ଜେନା ପ୍ରମୁଖ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।
