ଭକ୍ତମାନଙ୍କ ଗହଣରେ ବାହୁଡ଼ି ଗଲେ ମହାବାହୁ

ଵଣାଇ : ଜନ୍ମ ବେଦୀରେ ନଅ ଦିନର ଲୀଳା ଖେଳା ସାରି ଗତକାଲି ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ଗହଣରେ ବିଶ୍ଵ ନିୟନ୍ତା ମହାପ୍ରଭୁ ନିଜ ମନ୍ଦିରକୁ ବାହୁଡ଼ି ଯାଇଛନ୍ତି । ଆନନ୍ଦ ଉଲ୍ଲାସର ସହ ଅପରାହ୍ନ ଚାରିଟା ବେଳେ ବସଷ୍ଟାଣ୍ଡ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରୁ ବିଧି ଅନୁସାରେ ପହଣ୍ଡି କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ଼ କରାଯିବା ସହିତ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଵଣାଇ ସହର ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ଘଣ୍ଟ, ବାଦ୍ୟ, ମୃଦଙ୍ଗ, ଝାଞ୍ଜର ତାଳେ ତାଳେ ଭକ୍ତିପୂତ ପରିବେଶରେ ଶାନ୍ତି ଶୃଙ୍ଖଳାର ସହିତ ଘଣ୍ଟାଏ ମଧ୍ୟରେ ମହାପ୍ରଭୁଙ୍କ ରଥକୁ ଟାଣି ନେଇ ରାଜ ନଅର ନିକଟରେ ପହଞ୍ଚାଇ ଦେଇଥିଲେ । ପରେ ସେବାୟତମାନେ ଶ୍ରୀ ଜୀଉମାନଙ୍କୁ ରଥରୁ ନେଇ ମନ୍ଦିର ପ୍ରବେଶ କରାଇଥିଲେ । ଏହି ପବିତ୍ର ବାହୁଡ଼ା ଯାତ୍ରାରେ ଵଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୟଦ ରେହେମାନ, ବିଡ଼ିଓ ସ୍ବଦୀପ ଟପ୍ପୋଙ୍କ ସମେତ ଵଣାଇ ହନୁମାନ ମନ୍ଦିର କମିଟିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ବାହୁଡା଼ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିଥିଲେ ।

Leave a Reply

Your email address will not be published. Required fields are marked *