ତହସିଲଦାର ‘୪୨୦’ : ମୁଖ୍ୟ କାର୍ପଟଦାର ସମେତ ୩ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ତହସିଲ୍‌ରେ ଜମି ଦୁର୍ନୀତି ଘଟଣାରେ ପୁଲିସ୍‌ ମୁଖ୍ୟ କାର୍ପଟଦାରଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏ ନେଇ ଲଗାତାର ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନର ଦୁଇ ଜଣିଆ ତଦନ୍ତକାରୀ ଟିମ୍‌ ତଦନ୍ତ କରିସାରିଛନ୍ତି । ତହସିଲଦାରଙ୍କ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇସାରିଥିବା ଜଣାପଡ଼ିଛି । ହେଲେ, ତହସିଲ୍‌ଦାରଙ୍କ ବିରୋଧରେ ଜିଲ୍ଲାପାଳ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଘଟଣାରେ ବଲାଙ୍ଗୀର ତହସିଲ୍‌ଦାର, ଆର୍‌ଆଇ, ସବ୍‌ରେଜିଷ୍ଟ୍ରାରଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଅନ୍ୟମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।

ଗିରଫ ୩ ଜଣ ହେଲେ, ମୁଖ୍ୟ କାର୍ପଟଦାର ମାଧବ ପୃଷ୍ଟି, ନକଲି ଜମି ମାଲିକ ଉତ୍ତମ ନାଗ ଓ ସାକ୍ଷୀ ସାଜିଥିବା ଦେବରାଜ ରାଉତ । ଏହି ଜମି କେଳେଙ୍କାରୀର ଅଭିଯୁକ୍ତ ତାଲିକାରେ ଥିବା ଉତ୍ତମ ନାଗ ଜଣେ ଦିନ ମଜୁରିଆ । ତାଙ୍କୁ ଭୁତାଇ ଛୁଟି ଦିନରେ ତହସିଲ ଅଫିସ୍‌କୁ ଆଣିଥିଲେ ମାଧବ ପୃଷ୍ଟି । ଟିପଚିହ୍ନ ନେଇ ଜମି ଜାଲିଆତି କରି ନିଜ ନାଁକୁ ନେଇଥିଲେ । ଆଉ ପୂରା ପ୍ରକ୍ରିୟାକୁ ସମର୍ଥନ କରିଥିଲେ ତହସିଲଦାର । କିନ୍ତୁ ଏବେ ଉତ୍ତମ ନାଗଙ୍କୁ ଆଣି ପୁଲିସ କୋର୍ଟଚାଲାଣ କରିସାରିଥିଲେ ବି ତହସିଲଦାରଙ୍କୁ ଏଯାଏ ଜେରା ବି କରିନି । ଅନ୍ୟ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ବି ହାତ ମାରିନି ପୁଲିସ । ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ଘଟଣାକୁ ନେଇ କହିଛନ୍ତି, ସମ୍ବେଦନଶୀଳ ମାମଲା ହୋଇଥିବାରୁ ପ୍ରମାଣ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାର ତଦନ୍ତ ଚାଲିଛି । ମାମଲାରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା ଚାଲିଛି ।

ଅନ୍ୟପକ୍ଷରେ, ଏହିଭଳି ଏକ ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଶ୍ବଜିତ ଦାଶଙ୍କୁ ପୁଲିସ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ଶ୍ରୀଦାଶ ସୋମବାର ଖବର ସଂଗ୍ରହ ପାଇଁ ସଦର ଥାନାକୁ ଯାଇଥିଲେ । ତାଙ୍କୁ ଦେଖୁ ଦେଖୁ ଡ୍ୟୁଟିରେ ଥିବା ପୁଲିସ ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ଚିହିଁକି ଉଠିଥିଲେ । ହଠାତ୍‌ ସିଟ୍‌ରୁ ଉଠିଯାଇ କର୍ତ୍ତବ୍ୟରତ ସାମ୍ବାଦିକ ଶ୍ରୀ ଦାଶଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଫୋନ୍‌ ଝାମ୍ପି ନେଇଥିଲେ । ଖବରପାଇ ବଲାଙ୍ଗୀର ସଦର ଥାନାରେ ତୁରନ୍ତ ପହଞ୍ଚିଥିଲେ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର । ଜିଲ୍ଲା ସାମ୍ବାଦିକ ସଂଘ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଏସ୍‌ପି ଉପସ୍ଥିତ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣାକୁ ନେଇ ବି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସମଗ୍ର ଘଟଣାରେ ତହସିଲଦାରଙ୍କ ସଂପୃକ୍ତି ଜଳଜଳ ଦେଖାଯାଉଥିଲା ବେଳେ ତାଙ୍କୁ ଏଯାଏ ଜେରା ସୁଦ୍ଧା କରାନଯିବା ପୁଲିସର ଭୂମିକା ସ୍ବତଃ ସନ୍ଦେହ ଘେରକୁଆସିଛି । ଜମି କେଳେଙ୍କାରୀର ତହସିଲଦାର ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପୁଲିସ ଏମିତି ତାତି ଉଠୁଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *