ବାଲିଆପାଳ : ବାଲିଆପାଳ ପ୍ରେସ କ୍ଲବ ପକ୍ଷରୁ ଓଡ଼ିଶାର ପ୍ରତିଷ୍ଠିତ ଟିଭି ଚେନାଲ “ବଡଖବର” ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ନିସର୍ତ୍ତ ଭାବେ ଜେଲରୁ ମୁକ୍ତ କରିବା ଦାବୀରେ ଶୁକ୍ରବାର ବାଲିଆପାଳ ବିଡ଼ିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରେରଣ କରାଯାଇଛି । ବାଲିଆପାଳ ପ୍ରେସ କ୍ଲବର ସଭାପତି ସାମ୍ବାଦିକ ଅଜୟ କୁମାର ସାହୁଙ୍କ ନେତୃତ୍ବରେ ସାମ୍ବାଦିକ ଗୋପାଳ ସାହୁ, ଦିଲ୍ଲୀପ କୁମାର ଦାସ, ପଙ୍କଜ କୁମାର ସାହୁ, ମନୋରଞ୍ଜନ ପାଣିଗ୍ରାହୀ, ଅଶୋକ କୁମାର ଜେନା, ପ୍ରଶାନ୍ତ ରାଉତ, ସଞ୍ଜୟ ଜେନା, ଗୋବିନ୍ଦ ଜେନା, ଉତ୍ତମ ନାୟକ, କୃପାସିନ୍ଧୁ ପଣ୍ଡା ପ୍ରମୁଖ ସାମ୍ବାଦିକମାନେ ବାଳିଆପାଳ ବିଡ଼ିଓ ଦୀପକ କୁମାର ଦାଶଙ୍କ ଠାରେ ଦାବିପତ୍ର ପ୍ରଦାନ କରି କହିଛନ୍ତି । ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୯ ତାରିଖ ମଧ୍ୟ ରାତ୍ରରେ ଅନ୍ୟାୟ ଭାବରେ ଜଣେ କୁଖ୍ୟାତ ଅପରାଧି ପରି ବଡଖବର ସମ୍ପାଦକ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କୁ ଗିରଫ କରାଗଲା ତାହା ଓଡ଼ିଶା ପାଇଁ ଲଜ୍ୟା ଜନକ ଘଟଣା । ଏପରି ସାମାନ୍ୟ ଘଟଣାରେ ଏତେ ବଡ ବ୍ୟକ୍ତିତ୍ୱ ଥିବା ବ୍ୟକ୍ତିଙ୍କୁ କେବେ ଏହିଭଳି ଅପମାନିତ କରି ଗିରଫ କରାଯାଇ ନାହିଁ । ତାଙ୍କ ନାମରେ ଯେତେବେଳେ ଅଭିଯୋଗ ଆସିଲା ତା’ ପରେ ପ୍ରଥମେ ଡକାଯାଇ ଏ ବିଷୟରେ ଆଲୋଚନା କରାଯିବାର ଥିଲା । ମାତ୍ର ତାହା କରା ନଯାଇ ରାଜ୍ୟ ସରକାରଙ୍କ ଦୋଷ ଦୁର୍ଗୁଣକୁ ଯିଏ ପଦାରେ ପକାଇବ ବା ଯିଏ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମୁହଁ ଖୋଲିବ ତା’ର କଣ୍ଠରୋଧ କରିବା ପାଇଁ ସବୁକିଛି କରାଯାଇ ପାରିବ ।ଯାହା ଅର୍ଧେନ୍ଦୁ ଦାସଙ୍କ କ୍ଷେତ୍ରରେ କରାଯାଇ ଗିରଫ କରାଗଲା । ଯାହା ଫଳରେ ସାରା ଓଡ଼ିଶାର ଗଣମାଧ୍ୟମକୁ ରାଜ୍ୟ ସରକାର ଅପମାନିତ କରିଛନ୍ତି । ତାଙ୍କୁ ଜେଲରୁ ନିସର୍ତ୍ତ ଭାବରେ ମୁକ୍ତ କରାଯିବା ପାଇଁ ବାଲିଆପାଳ ପ୍ରେସ କ୍ଲବର ସଦସ୍ୟମାନେ ଦାବୀ କରିଛନ୍ତି । ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନି ଦେଇଛନ୍ତି ।
