ଆରଡି : ଭଦ୍ରକ ଜିଲାର ନଦୀନାଳ ଘେରା ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳ । ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ପ୍ରାୟ ୭୦ ପ୍ରତିଶତ ଗାଁ ବୈତରଣୀ, ସାଳନ୍ଦୀ, ମନ୍ତେଈ ନଦୀକୂଳରେ ଅବସ୍ଥିତ । ଏହି ନଦୀଗୁଡିକରେ ବଡବଡ କୁମ୍ଭୀର ସନ୍ତରଣ କରୁଥିବାରୁ କେତେବେଳେ କୁମ୍ଭୀର ପାଟିରେ ନୀରିହ ଲୋକଙ୍କ ପ୍ରାଣ ଯାଉଛି ତ ଆଉ କେତେବେଳେ ଗୃହପାଳିତ ପଶୁ କୁମ୍ଭୀର ଅକ୍ରମଣର ଶିକାର ହେଉଛନ୍ତି । ଏପରି ଘଟଣା ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କେବଳ ସଚେତନତା ଫଳକ ଲଗାଯାଇଥିବା ଦେଖିବାକୁ ମିଳୁଛି ।
ନିକଟରେ ସୁନ୍ଦରପୁର ପଞ୍ଚାୟତର ଦୋହରାପାଟଣା ଠାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀକୂଳରେ ମଇଁଶି ପାଣି ପିଉଥିବା ବେଳେ ୧୪\୧୫ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା । ପରେ ୨ ଦିନ ତଳେ ଓଳଗ ପଞ୍ଚାୟତ ଷାଠିବାଙ୍କୁଡା ଗାଁ ନିକଟରୁ ଏକ ଗାଈକୁ ଝାମ୍ଫି ନେଇଛି କୁମ୍ଭୀର । ସେହିପରି ଆରଡି ନିକଟସ୍ଥ ମୁଆଁଘାଟ ନିକଟରେ ୪\୫ ଜଣ ମତ୍ସ୍ୟଜୀବୀ ଏକ ଦେଶୀଡଙ୍ଗା ଦ୍ବାରା ନଦୀ ମଝିରେ ମାଛ ମାରୁଥିବା ବେଳେ ଏକ ବିରାଟକାୟ କୁମ୍ଭୀର ବାରମ୍ବାର ଝାମ୍ଫ ମାରିବାରୁ ଜୀବନ ବଞ୍ଚାଇବାକୁ ଯାଇ ଜାଲ ଛାଡି କୂଳକୁ ଫେରି ଆସିବାରୁ ଅଳ୍ପକେ ମତ୍ସ୍ୟଜୀବୀ କୁମ୍ଭୀର ମୁହଁରୁ ବର୍ତ୍ତିଯାଇଥିଲେ ।
ସୂଚନା ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ମୁଆଁ, ଷାଠିବାଙ୍କୁଡା, ବୋଡକ, ପାଲଟପୁର, କୁଲିବିନ୍ଧା, ଧାନଖଣିଆ, ଗରିପୁର ଆଦି ଅଞ୍ଚଳରୁ ପ୍ରାୟ ୧୪ ଜଣଙ୍କୁ କୁମ୍ଭୀର ନଦୀକୂଳରୁ ଝାମ୍ଫି ନେଇଛି । କିଏ ବାପକୁ ହରାଇଛ ତ ଆଉକିଏ ଭେଣ୍ଡିଆ ପୁଅକୁ ହରାଇଛି ।
୨୦୦୯ରେ ବୋଡକ ନିକଟରେ ଜଣେ ୪୦ ବର୍ଷିୟ ମହିଳା ଗାଧୋଉଥିବା ବେଳେ କୁମ୍ଭୀର ଝାମ୍ଫି ନେଇଥିଲା । ସେହିପରି ମୁଆଁ ଗାଁରେ ୪ ଜଣ ସାଙ୍ଗ ହୋଇ ନଦୀରେ ଗାଧୋଉଥିବା ବେଳେ ଛକି ରହିଥିବା ଏକ କୁମ୍ଭୀର ଆକ୍ରମଣ କରିବାରୁ ୩ ଜଣ କୂଳକୁ ଫେରିଆସିଥିବା ବେଳେ, ଟୁଆଁ ଦାସଙ୍କର ଡାହଣ ଗୋଡକୁ ଝାମ୍ଫି ନେଇଥିଲା କୁମ୍ଭୀର । ଫଳରେ ସେ ଡାହାଣ ଗୋଡ ହରାଇ ଅଳ୍ପକେ ବର୍ତ୍ତିଯାଇଥିଲେ । ଅନୁରୂପ ଭାବେ ୨୦୧୪ରେ ୩ ଥର ଘାଟ ନିକଟ ସାଳନ୍ଦୀ ନଦୀରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କୁ ଝାମ୍ଫିନେଇଥିଲା କୁମ୍ଭୀର । ବହୁତ ଖୋଜାଖୋଜି ପରେ ଦୀର୍ଘ ୨ ଦିନ ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଏତେପରେ ହିଂସ୍ର କୁମ୍ଭୀରଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନକରି କେବଳ ନଦୀକୂଳରେ ସଚେତନତା ଫଳକ ଲଗାଇ ବନ ବିଭାଗ ଚୁପ ବସିଥିବା ଦେଖିବାକୁ ମିଳିଛି ।
