ଆଲୋକୀକରଣ ବ୍ୟବସ୍ଥା ଦାବୀରେ ଜନ ପ୍ରତିନିଧିଙ୍କ ଅନଶନ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପ୍ରବେଶପଥରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ପକ୍ଷରୁ ହାଇମାକ୍ସ ଲାଇଟ୍‍ ଲଗା ଯାଇଥିଲେ ମଧ୍ୟ ତାହା ଜଳୁନାହିଁ । ଦୀର୍ଘ ବର୍ଷ ଧରି ପିପିଲିର ପ୍ରବେଶପଥ ସମେତ ଜାତୀୟ ରାଜପଥ ଅନ୍ଧାର ରହୁଥିବା ଯୋଗୁଁ ଚୋରୀ, ରାହାଜାନୀ, ଦୁର୍ଘଟଣା ଆଦି ବୃଦ୍ଧି ପାଉଛି । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଜାତୀୟ ରାଜପଥରେ ଲାଗିଥିବା ହାଇମାକ୍ସ ଲାଇଟ୍‍ ଜଳାଇବା ଓ ରାଜପଥକୁ ଆଲୋକୀକରଣ କରାଯିବା ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ପିପିଲିର ନିର୍ବାଚିତ ଜନ ପ୍ରତିନିଧିଙ୍କ ପକ୍ଷରୁ ଗୁରୁବାର ଠାରୁ ଆମରଣ ଅନଶନ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସରିଥିବା ବେଳେ ଏକ ହଜାରରୁ ଉର୍ଦ୍ଧ ଜନସାଧାରଣ ଓ ନିର୍ବାଚିତ ଜନ ପ୍ରତିନିଧିମାନେ ଏହି ଅନଶନରେ ଯୋଗଦେବେ ବୋଲି ବିଜେଡି ନେତା ଧରଣୀଧର ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଲୋକାର୍ପଣ ହେବା ପରଠାରୁ ଏହାର ପିପିଲି ପ୍ରବେଶ ପଥ ଓ ଦାଣ୍ଡମୁକୁନ୍ଦପୁରର ଭୋଗୁଆବାଙ୍କ ଛକ ଠାରେ ଦୁଇଟି ବଡ ହାଇମାକ୍ସ ଲାଇଟ୍‍ ଲଗାଯାଇଥିଲା । ଏହା ସହ ପିପିଲି ଟୋଲଗେଟ୍‍ ଠାରୁ ଜଇସପାଟଣା ବଜାର ପର୍ଯ୍ୟନ୍ତ ଓ ପିପିଲି ପ୍ରବେଶପଥ ପର୍ଯ୍ୟନ୍ତ ଲାଇଟ୍‍ ଲଗାଯାଇଥିଲା । ମଙ୍ଗଳପୁର ବଜାରରେ ମଧ୍ୟ ରାସ୍ତା ମଝିରେ ଲାଇଟ୍‍ ଲଗାଯାଇଥିଲା । ତେବେ, ପିପିଲି ପ୍ରବେଶପଥରେ ଥିବା ହାଇମାକ୍ସ ଲାଇଟ୍‍ କେବଳ ରଥଯାତ୍ରା ସମୟରେ ଜଳୁଥିବା ବେଳେ ଅନ୍ୟ ସମୟରେ ଉକ୍ତ ଅଞ୍ଚଳ ସଂପୂର୍ଣ୍ଣ ଅନ୍ଧାର ରହୁଛି । ଟୋଲଗେଟ୍‍ ଠାରୁ ଜଇସପାଟଣା ବଜାର ଓ ପିପିଲି ପ୍ରବେଶପଥ ପର୍ଯ୍ୟନ୍ତ ଲାଗିଥିବା ଲାଇଟ୍‍ ଗୁଡିକ ଗତ ୨୦୧୯ ବାତ୍ୟା ପରଠାରୁ ଅଚଳ ହୋଇଯାଇଛି ।

ଭୋଗୁଆବାଙ୍କ ଛକ ଓ ମଙ୍ଗଳପୁର ବଜାରରେ ଲାଗିଥିବା ଲାଇଟ୍‍ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ଅନ୍ଧାର ଯୋଗୁଁ ଉକ୍ତ ସ୍ଥାନ ମାନଙ୍କରେ ବାରମ୍ବାର ଦୁର୍ଘଟଣାମାନ ଘଟୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଇ ଚୋରୀ, ରାହାଜାନି ଭଳି ଘଟଣା ବୃଦ୍ଧି ପାଉଛି । ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି । ରାଜପଥର ଏପରି ଅବସ୍ଥା ସଂପର୍କରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ କିଛିମାସ ତଳେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିବା ସହ ଜାତୀୟ ରାଜପଥର ଉକ୍ତ ସ୍ଥାନମାନଙ୍କରେ ଆଲୋକୀକରଣ କରିବାକୁ ଅନୁରୋଧ କରିଥିଲେ । ଏପରିକି ଗତ ପୁରୀ ଜିଲା ପରିଷଦ ବୈଠକରେ ମଧ୍ୟ ପିପିଲିର ଜିଲା ପରିଷଦ ସଭ୍ୟମାନେ ଏ ସଂପର୍କର ପ୍ରଶ୍ନ ଉତ୍‍ଥାପନ କରିଥିଲେ । ଗତ ୬ ତାରିଖରେ ପିପିଲି ବ୍ଲକର ଜନ ଅଭିଯୋଗ ଶୁଣାଣୀ ଶିବିରରେ ଏ ସଂପର୍କରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧିମାନେ ଲିଖିତ ଅଭିଯୋଗ କରିବା ସହ ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସ୍ଥ୍ରାୟୀ ସମାଧାନ କରାନଗଲେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ । ତେବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ନପାଇବାରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଗୁରୁବାର ପୂର୍ବାହ୍ନ ୧୦ଟାର ଜାତୀୟ ରାଜପଥର ପିପିଲି ପ୍ରବେଶ ପଥ ଠାରେ ପିପିଲିର ନିର୍ବାଚିତ ଜନ ପ୍ରତିନିଧିଙ୍କ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ସୂଚନା ମିଳିଛି । ଏ ସଂପର୍କରେ ପିପିଲି ଏନ୍‍ଏସି ପୌରାଧ୍ୟକ୍ଷ ସେକ୍‍ ବାବୁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ ପ୍ରମୁଖ ଲିଖିତ ଭାବେ ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ଜଣାଇଛନ୍ତି । ଏହି ଅନଶନରେ ପିପିଲି ବ୍ଲକ ଓ ଏନ୍‍ଏସିର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନେ ଯୋଗଦେବେ ବୋଲି ଜିଲା ପରିଷଦ ସଭ୍ୟ ତଥା ବିଜେଡି ନେତା ଧରଣୀଧର ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *