ନିଶାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଖଣ୍ଡା ବୁଲାଇଲେ ଯାହାକୁ ଦେଖିଲେ ହାଣିବାକୁ ଗୋଡ଼ାଇଲେ

ଭୁବନେଶ୍ୱର : ନିଶାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଖଣ୍ଡା ବୁଲାଇଲେ ଯାହାକୁ ଦେଖିଲେ ହାଣିବାକୁ ଗୋଡ଼ାଇଲେ । ଅଧଘଣ୍ଟା ଧରି ମଞ୍ଚେଶ୍ୱର ଅଞ୍ଚଳରେ ଖେଳାଇଥିଲେ ଆତଙ୍କ । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରିକୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ୨ଟି ମୋବାଇଲ ଏବଂ ଗୋଟିଏ କାର ଜବତ ହୋଇଛି । ଏହାସହ ସେମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳରେ ହଠାତ୍ ଆଜି ସକାଳେ ନିଶା ଅବସ୍ଥାରେ ଆସିଲେ ଯୁବକ । କିଛି ନହେଉଣୁ  ଲୋକଙ୍କ ଉପରେ ଆକ୍ରମଣ କଲେ । ଜଣେ ଚା’ ଦୋକାନୀଙ୍କ ଉପରେ ଆକ୍ରମଣ କଲାବେଳେ ଆଉ ଜଣେ ଆସି ବଞ୍ଚାଉଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ଏଥିରେ ବିଶେଷ ଭାବରେ କେହି ଆହତ ହୋଇନଥିବାବେଳେ ଅନେକ ଦୋକାନକୁ କ୍ଷତି ପହଞ୍ଚାଇଛନ୍ତି ।

ତେବେ ରାଜଧାନୀରେ କ୍ରାଇମ୍ ଦିନକୁ ଦିନ ବଢିଚାଲିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜଧାନୀ ଏଭଳି ନଥିଲା । କିନ୍ତୁ ଦିନକୁ ଦିନ କ୍ରାଇମ ବଢୁଛି । କମିଶନରେଟ ପୋଲିସ ଥାଇ ସୁଦ୍ଧା କିପରି କ୍ରାଇମ ବଢିବାରେ ଲାଗିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *