ବଣାଇ : ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ, ଵଣାଇ ବ୍ଲକ୍ ର ୧୩ ଗୋଟି ପଞ୍ଚାୟତର ନବ ନିର୍ବାଚିତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଦସ୍ୟ, ସରପଞ୍ଚ, ନାଏବ ସରପଞ୍ଚ ପ୍ରଭୃତି ସମସ୍ତ ଜନ ପ୍ରତିନିଧିଙ୍କୁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ଵବିଦ୍ୟାଳୟ ବଣାଇ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ଵଣାଇ ରାଜା ବୀର କେଶରୀ ଇନ୍ଦ୍ର ଦେଓଦେଵ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଵଣାଇ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୋହା ଯୋଗଦେଇ ଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଉରକେଲା ଶାଖାର ମୁଖ୍ୟ ସଞ୍ଚାଳିକା ରାଜ ଯୋଗିନୀ ଶ୍ଵେତା ଦିଦି ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ଜନ ପ୍ରତିନିଧି, ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଭବିଷ୍ୟତ ନିମନ୍ତେ ସୁସ୍ଥ ସମାଜ ଗଠନ, ଆଧ୍ୟାତ୍ମିକ ଶକ୍ତିର ପ୍ରସାର, ସୁନ୍ଦର ପରିବେଶ ଓ ଜନସାଧାରଣଙ୍କ ନିମନ୍ତେ ତାଙ୍କର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ଵାରା ସମସ୍ତ ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ଵବିଦ୍ୟାଳୟ ବଣାଇ ଶାଖା ସଂଯୋଜିକା ବ୍ରହ୍ମା କୁମାରୀ ପ୍ରଭାତୀ ସଂଯୋଜନା କରିଥିବା ବେଳେ ତାଙ୍କ ସହିତ ଶାଖାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।
