ଓମବାଡସି ଓଭରସାଇଟ ଅଥରିଟିଙ୍କ ବଣାଇ ଉପଖଣ୍ଡ ପରିଦର୍ଶନ

ବଣାଇ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ର ଓଭର ସାଇଟ୍ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଆଜି ଦିନିକିଆ ଵଣାଇ ଉପଖଣ୍ଡ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି । ଆଜି ପୂର୍ବାହ୍ନରେ ପ୍ରଥମେ ଵଣାଇ ଉପଖଣ୍ଡର ଲଲେଇ ଛକ ନିକଟରେ ନିର୍ମିତ ହେଉଥିବା ବୃହତ ପାନୀୟ ଜଳ ପ୍ରକଳ୍ପର ଅନୁଧ୍ୟାନ କରିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ଆଗାମୀ ଦିନରେ ଉପଖଣ୍ଡର ଚାରୋଟି ବ୍ଲକ୍ ର ଜନସାଧାରଣ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି ।

ଏହାପରେ ଵଣାଇ ବନବିଭାଗ କୁଳିପୋଷ ରେଞ୍ଜ ଅନ୍ତର୍ଗତ ଡଲେଇସରା ସେକ୍ସନର ପଥର ପୁଞ୍ଜି ଠାରେ (ଓମବାଡସି)ର ଆର୍ଥିକ ସହାୟତାରେ ହୋଇଥିବା ବିଭିନ୍ନ ଆଡ଼ିବନ୍ଧ, ଜଳ ବିଭାଜିକା ପ୍ରକଳ୍ପ, ମୃତ୍ତିକା ସଂରକ୍ଷଣ ଇତ୍ୟାଦି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରି ଖୁସି ବ୍ୟକ୍ତ କରିଥିଲେ । ପରିବେଶ ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟି ପାଇଁ ବନବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ପରେ ବ୍ରାହ୍ମଣୀ ନଦୀ କୂଳରେ ଥିବା ବନବିଭାଗର ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ନର୍ସରୀ ବୁଲି ଦେଖିବା ସହ ଡାକ ବଙ୍ଗଳା ଠାରେ ସ୍ଥାନୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ସମୀକ୍ଷା କରିବା ସହିତ, ଖଣି ପ୍ରଭାବିତ ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଏହି ପରିଦର୍ଶନ ସମୟରେ ଜଷ୍ଟିସଙ୍କ ସହିତ ଓମବାଡସି ସିଇଓ ଜି ରାଜେଶ, ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁଧାକର ଵୁର୍ଗୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଡିଏମ ଏଫ୍ ସିଇଓ ରିତା ଡାଙ୍ଗ ଵଣାଇ ବନଖଣ୍ଡ ଦାୟିତ୍ୱରେ ଥିବା ଦେବଗଡ଼ ବନଖଣ୍ଡ ଅଧିକାରୀ ଧନାଜୀ ଆର୍, ଵଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଲଲାଟ କୁମାର ଲୋହାଙ୍କ ସମେତ ଉପଖଣ୍ଡର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *