କପଣ୍ଡ ଜନଶୁଣାଣୀ ପୂର୍ବରୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ, ଇଣ୍ଡଷ୍ଟ୍ରି ନାଁ ରେ ପ୍ରକୃତି ଧ୍ଵଂସ

ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତର କପଣ୍ଡ ଗ୍ରାମରେ ଆଗାମୀ ୨୪ ତାରିଖରେ ସ୍ପଞ୍ଜ ଆଇରନ କାରଖାନା ପ୍ରତିଷ୍ଠା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହେବାକୁ ଥିବା ଜନଶୁଣାଣୀ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ଏହି କାରଖାନା ପ୍ରତିଷ୍ଠା ପାଇଁ ପୂର୍ବରୁ ଅନୁଷ୍ଠିତ ଅନେକ ସଭାରେ ଗଣ୍ଡଗୋଳ ଘଟିବା ସହିତ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖାଯାଇଛି ।

କମ୍ପାନୀ ତରଫରୁ ନିଜ ନିଜ ପରିବାର ଭିତରେ ସପକ୍ଷ, ବିପକ୍ଷ ସୃଷ୍ଟି କରି ଗ୍ରାମରେ ବିଭେଦ କରାଯିବା ସହିତ, ସ୍ଥାନୀୟ ଆଦିବାସୀଙ୍କ ଉପରେ ବଳ ପ୍ରୟୋଗ କରାଯିବାର ଖବର ସେ ସମୟରେ ଲୋକଲୋଚନକୁ ଆସିଥିଲା । କମ୍ପାନୀକୁ ପ୍ରଦାନ କରାଯାଇଥିବା ଜମିରେ ଜଙ୍ଗଲ ଥିବା ସତ୍ତ୍ବେ ବିନା ଅନୁମତିରେ ହଜାର ହଜାର ଗଛ କାଟି ପ୍ରକୃତିକୁ ଧ୍ଵଂସ କରିବା ସହିତ, ସ୍ଥାନୀୟ ଆଦିବାସୀଙ୍କ ଜିବନ ଜୀବିକାକୁ ବିପନ୍ନ ଅବସ୍ଥାକୁ ଠେଲି ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ଥିଲା । ତଥାପି ସ୍ଥାନୀୟ ଜନସାଧାରଣ ହତୋତ୍ସାହିତ ନହୋଇ ଜନଶୁଣାଣୀ ପୂର୍ବରୁ ପଲ୍ଲୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଜଣାଇଥିଲେ ମଧ୍ୟ ସରକାରୀ କଳ କମ୍ପାନୀ ନିକଟରେ ବିକ୍ରି ହୋଇଥିବା ଭଳି, ଜନଶୁଣାଣୀ ନିମନ୍ତେ ଦିନ ଧାର୍ଯ୍ୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରୁଛି । ଏଥର ମଧ୍ୟ ବିଭିନ୍ନ ଆଳରେ ପ୍ରଶାସନ କମ୍ପାନୀକୁ ସମର୍ଥନ କରି ବିରୋଧୀଙ୍କୁ ଦୂରରେ ରଖିବା ପାଇଁ ଚେଷ୍ଟା କରିବ ବୋଲି ଜଣାପଡ଼ୁଛି । ବଣାଇ ଉପଖଣ୍ଡରେ ଖଣି, ଖାଦାନ, ସବୁକିଛି ଭରପୁର ଥିବା ବେଳେ ଦୀର୍ଘ ୫୦ ବର୍ଷ ଧରି ସ୍ଥାନୀୟ ଆଦିବାସୀ ପାଇଛି କ’ଣ ? ଆଜି କୋଇଡା, ଵରସୁଆଁ ଭଳି ସଂପଦ ଭରା ଅଞ୍ଚଳରେ ନିଜର ଭିଟାମାଟିକୁ କମ୍ପାନୀ ହାତରେ ଟେକି ଦେଇ ଦିନ ମଜୁରିଆ ହେବା ଛଡ଼ା ଆଉ ଅଧିକ କିଛି ନାହିଁ । ନାଁ ଶିକ୍ଷା, ନାଁ ସ୍ଵାସ୍ଥ୍ୟ, ଗମନାଗମନ, ରାସ୍ତା ଘାଟ କିଛି ନାହିଁ । ବଣାଇ ଯୁବଗୋଷ୍ଠୀ ଯେଉଁ ବେକାରୀକୁ ସେଇ ବେକାରୀ । ମାଳ ମାଳ ସ୍ପଞ୍ଜ ଆଇରନ କାରଖାନା କରିବା ପରିବର୍ତ୍ତେ, ବୃହତ୍ ଶିଳ୍ପ କାରଖାନାର ପରିକଳ୍ପନା କରାଯିବା ଉଚିତ । ୨୦ଟି ସ୍ପଞ୍ଜ ଆଇରନ କାରଖାନା ଚିମିନିର କଳାଧୂଆଁ ଗୋଟିଏ ବୃହତ ଷ୍ଟିଲ କାରଖାନା ଠାରୁ ଅଧିକ ପ୍ରଦୂଷିତ । ତେଣୁ ଦିନ ଥାଉଁ ଥାଉଁ ଆଗାମୀ ପିଢ଼ିମାନଙ୍କ ପାଇଁ ଉତ୍ତମ ପରିବେଶ ନିମନ୍ତେ ସଚେତନ ହୋଇ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ଵଣାଇର ସମସ୍ତ ଜନପ୍ରତିନିଧି, ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମସ୍ତ ବୁଦ୍ଧିଜୀବୀ ଆଗକୁ ଆଗେଇ ଆସି ଏ ପ୍ରକାର ପ୍ରକୃତି ଓ ପରିବେଶକୁ ଧ୍ଵଂସ କରୁଥିବା କମ୍ପାନୀକୁ ବିରୋଧ କରି ବଣାଇକୁ ବଞ୍ଚାଇବାକୁ ପ୍ରୟାସ କରିବା ଉଚିତ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *