ସଡକ ଦୁର୍ଘଟଣାରେ ଦୁଇ ମୃତ ଓ ଜଣେ ଗୁରୁତର, ଗୁରୁତଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଥିବା ଗଦଗଦା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କାଶୀପୁର ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାୟକଙ୍କ ପତ୍ନୀ ସହିତ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଅଙ୍ଗଦଙ୍କ ପତ୍ନୀ ମମତା ନାଏକ, ନାତି ନୂତନ ନାଏକ ଏବଂ ହଂସରାଜ ନାଏକ ସ୍ଥାନୀୟ ଗଦଗଦା ସ୍ଥିତ ଘରୁ ବାହାରି ବେନ୍ଦଲା ପାସ ଅଭିମୁଖେ ବାଇକରେ ଯାଉଥିଲେ । ଏହି ସମୟରେ ଥୁଆମୂଳ ରାମପୁର ଆଡ଼ୁ  ଦ୍ରୁତଗତିରେ କାଶୀପୁର ଅଭିମୁଖେ ଆସୁଥିବା (ଓଡ଼ି ୦୮ବି -୧୦୭୧) ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇ ଖାଲ ଭିତରେ ଓଲଟି ପଡିଥିଲା । ଫଳରେ ମମତାଙ୍କ ସହିତ ତିନି ଜଣ ଖାଲ ଭିତରେ ଛିଟିକି ପଡ଼ିଥିଲେ । ଗୁରୁତର ଥିବା ମମତାଙ୍କୁ ଉଦ୍ଧାର କରି ନିକଟସ୍ଥ କାଶିପୁର ସିଏଚସିକୁ ନେବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ନୂତନ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ହଂସରାଜଙ୍କ ଗୋଡ଼ ଭାଙ୍ଗି ଯିବାରୁ ଗୁରୁତର ହୋଇଛନ୍ତି । ଆହତଙ୍କୁ କାଶୀପୁର ସିଏଚସିରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । କାଶୀପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ଷତିପୂରଣ ଦାବି କରି ଗ୍ରାମବାସୀ ରାସ୍ତାରୋକ ଓ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଥିବାରୁ ସନ୍ଧ୍ୟା ସୁଦ୍ଧା ଶବ ବ୍ୟବଚ୍ଛେଦ କରାଯାଇ ପାରି ନଥିବା ଜଣାଯାଇଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ି କଳାହାଣ୍ଡି ଅଞ୍ଚଳର ହୋଇଥିବା ବେଳେ ଡ୍ରାଇଭର କାଶୀପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । କଂଗ୍ରେସ ଏବଂ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ନେତୃବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *