ଆଠଗଡ଼ : ଆଠଗଡ଼ର ସର୍ବପୁରାତନ ତଥା ୧୧୯ ବର୍ଷର ଶିକ୍ଷାନୁଷ୍ଠାନ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଟି ଜବରଦଖଲ ହୋଇଥିବାବେଳେ ସେଠାରୁ ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟର ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ତିନିବର୍ଷ ପରେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇପାରିଲା ନାହିଁ । ୧୯୦୩ ମସିହାରେ ବ୍ରିଟିଶ ଶାସନ ସମୟରେ ତତ୍କାଳିନ ଆଠଗଡ଼ ରାଜାଙ୍କ ଦ୍ୱାରା ଆଠଗଡ଼ ସହର ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥାପିତ ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ଯୋଗୁଁ ଏଠାରେ ଅଧ୍ୟୟନ କରିଥିବା ବହୁ ବ୍ୟକ୍ତି ରାଜ୍ୟ, ଦେଶ ଓ ବିଦେଶରେ ଉଚ୍ଚ ପ୍ରତିଷ୍ଠିତ ହୋଇପାରିଥିଲେ । ଏହି ବିଦ୍ୟାଳୟର ନାମକରଣ ଅନୁଯାୟୀ ଏହାକୁ ପ୍ରକୃତରେ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପରିବର୍ତ୍ତେ ସବୁବେଳେ ଏହି ସ୍କୁଲଟି ଅବହେଳିତ ହୋଇ ଆସିଛି । ଆଠଗଡ଼ର ମୁଖ୍ୟ ବଜାର ମଝିରେ ରହିଥିବା ଏହି ବିଦ୍ୟାଳୟର ପରିସର ବାହାରେ ବହୁ ଉଠାଦୋକାନୀ ସେମାନଙ୍କର ବ୍ୟବସାୟ ଚଳାଇ ଆସୁଛନ୍ତି ।
ତେବେ ୨୦୦୪ ମସିହାରେ କେତେକ ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଏନଏସି କର୍ତ୍ତୃପକ୍ଷ ବିଦ୍ୟାଳୟର ବାହ୍ୟ ପ୍ରାଚୀର ଭାଙ୍ଗି ପ୍ରାୟ ୧୫-୨୦ଟି ଦୋକାନ ଘର କରିବାର ଯୋଜନା କଲେ । ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପାର୍ଶ୍ବର ପ୍ରାଚୀର ଭାଙ୍ଗି ସ୍କୁଲ ପରିସର ମଧ୍ୟରେ ଦୋକାନ ଘରସବୁ ନିର୍ମାଣ ଆରମ୍ଭ କଲେ । ଏହା ଆଠଗଡ଼ର ସଚେତନ ନାଗରିକ, ଶିକ୍ଷାବିତ୍ ଏବଂ ସଂପୃକ୍ତ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଗଭୀର କ୍ଷୋଭ ପ୍ରକାଶ ପାଇବା ସହିତ ଏହାକୁ ସେମାନେ ତୀବ୍ର ସମାଲୋଚନା କଲେ । ହେଲେ ଏନଏସି କର୍ତ୍ତୃପକ୍ଷ ନିର୍ବାଚିତ ଶାସକ ଦଳ ଅଧ୍ୟକ୍ଷ, ପାରିଷଦ ଓ କେତେକ ନେତା ଏହାକୁ କର୍ଣ୍ଣପାତ ନକରି ଦୋକାନ ଘରର ପ୍ଲିନ୍ଥ ପତ୍ତନ ପର୍ଯ୍ୟନ୍ତ ନିର୍ମାଣ କରିଚାଲିଲେ । ଆଠଗଡ଼ର ଯୁବ ସମାଜସେବୀ ଓ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ମିଶ୍ର ସ୍କୁଲ ପରିସରରେ ବେଆଇନ ଦୋକାନ ଘର ନିର୍ମାଣ ଦ୍ୱାରା ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେବା ଦର୍ଶାଇ ହାଇକୋର୍ଟରେ ଏକ ଯାଚିକା ଦାୟାର କଲେ ।

୨୦୦୪ ମସିହା ଡିସେମ୍ବର ୭ ତାରିଖରେ ଏହି ମାମଲାଟିକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଆଠଗଡ଼ ଉପଜିଲ୍ଲାପାଳ, ଆଠଗଡ଼ର ତତ୍କାଳିନ ଶିକ୍ଷା ଜିଲ୍ଲା ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ଓ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପକ୍ଷଭୁକ୍ତ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏନଏସି କର୍ତ୍ତୃପକ୍ଷ ଏ ସଂପର୍କରେ ସେମାନଙ୍କର ଆଭିମୁଖ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବା ସହ ପରବର୍ତ୍ତୀ ସମୟରେ ରାଜେନ୍ଦ୍ର ମିଶ୍ର ଦାଖଲ କରିଥିବା ମାମଲାଟିକୁ ଖାରଜ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହି ମାମଲାର ଦୀର୍ଘ ଦିନ ବିଚାର କରିବା ପରେ ଗତ ୨୦୧୯ ମସିହା ଏପ୍ରିଲ ୧୯ ତାରିଖରେ ତାଙ୍କ ରାୟ ପ୍ରକାଶ କରି ଏନଏସି କର୍ତ୍ତୃପକ୍ଷଙ୍କ ଯାଚିକାକୁ ଖାରଜ କରିବା ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ ହେଉ ଅବା ସ୍ଥାନୀୟ ପ୍ରଶାସନ ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଛେଦ କରିବା ସହ ବିଦ୍ୟାଳୟର ପୂର୍ବସ୍ଥିତ ବଜାର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
୨୦୧୯ ଅର୍ଥାତ୍ ୩ ବର୍ଷରୁ ଉର୍ଦ୍ଧ ସମୟ ହେଲା ହାଇକୋଟ ନିର୍ଦ୍ଦେଶ ଦେବା ସତ୍ତ୍ବେ ସ୍ଥାନୀୟ ଏନଏସି କର୍ତ୍ତୃପକ୍ଷ ବା ପ୍ରଶାସନ ଏହି ନିର୍ଦ୍ଦେଶକୁ ଅମାନ୍ୟ କରି ଏପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଚେଦ କଲେନାହିଁ । ଅପର ପକ୍ଷେ ସ୍କୁଲ ପରିସରରେ ଅର୍ଦ୍ଧନିର୍ମିତ ଗୃହ ଗୁଡିକ ମଧ୍ୟ ବିଭିନ୍ନ ଦୋକାନୀ ଜବରଦଖଲ କରି ତା ଉପରେ କ୍ୟାବିନ ପକାଇ ବ୍ୟବସାୟ କରୁଛନ୍ତି । ଯାହା ଫଳରେ ସ୍କୁଲର ଶୈକ୍ଷିକ ବାତାବରଣ ଖରାପ ହେବା ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ତେଣୁ ଏହି ସୁନାମଧନ୍ୟ ଶତାୟୁ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଠଗଡ଼ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ତୁରନ୍ତ ଦୃଢ ପଦକ୍ଷେପ ନେଇ ସ୍କୁଲ ପରିସରରୁ ଜବରଦଖଲ ଉଚ୍ଚେଦ କରିବା ସଙ୍ଗେ ସଙ୍ଗେ ଏନଏସି ଦ୍ୱାରା ଭଙ୍ଗା ଯାଇଥିବା ପ୍ରାଚୀରର ପୁନଃ ନିର୍ମାଣ କରିବା ପାଇଁ ଦାବି ହେଉଛି । ଏହା ଅବିଳମ୍ବେ କରାନଗଲେ କେତେକ ଆଇନଜୀବୀ ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାଇ ଦେଇଛନ୍ତି ।
