କଟକ : ରାଜ୍ୟରେ ସ୍ବାସ୍ଥ୍ୟ ସେବା ଓ ଶିକ୍ଷାର ବିକାଶ ପାଇଁ ସରକାର ଖୋଲି ଚାଲିଛନ୍ତି ଗୋଟିଏପରେ ଗୋଟିଏ ନୂଆ ମେଡିକାଲ କଲେଜ । ସେହି ଅନୁସାରେ ଭିତ୍ତିଭୂମିର ବିକାଶ ହେଉନାହିଁ । କୋଠା ନିର୍ମାଣ ହେଉଛି, ହେଲେ ଡାକ୍ତର, ନର୍ସ ଅଥବା ଟେକ୍ନିକାଲ ଷ୍ଟାଫ୍ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉନାହିଁ । ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୧୦ଟି ମେଡିକାଲ କଲେଜରେ ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍ ପ୍ରଫେସର ପଦ ଖାଲିପଡ଼ିଛି । ସେହି ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଜରିଆରେ ଠିକ୍ ସମୟରେ ନିଯୁକ୍ତି, ପଦୋନ୍ନତି ଦିଗରେ ପଦକ୍ଷେପ ନ ନେଇ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ଉଦ୍ୟମକୁ ବିରୋଧ କରିଛନ୍ତି ଅନେକ ବିଶେଷଜ୍ଞ ଡାକ୍ତର ।
ରାଜ୍ୟର ଏସ୍ସିବି ମେଡିକାଲ କଲେଜରେ ସର୍ବାଧିକ ୧୬ଟି ପ୍ରଫେସର ୪୨ଟି ଆସୋସିଏଟ୍ ପ୍ରଫେସର ପଦ ଖାଲିପଡ଼ିଛି । ସେହିପରି ଏମ୍କେସିଜି, ବ୍ରହ୍ମପୁରରେ ୫ ପ୍ରଫେସର ଓ ୩୧ ଆସୋସିଏଟ୍ ପ୍ରଫେସର, ଏସ୍ଏନ୍ଏନ୍ ମେଡିକାଲ କଲେଜରେ ୪ ପ୍ରଫେସର, ୧୧ ଆସୋସିଏଟ୍ ପ୍ରଫେସର, ପିଆରଏମ୍ ମେଡିକାଲ କଲେଜରେ ୪ ପ୍ରଫେସର ଓ ୮ ଆସୋସିଏଟ୍ ପ୍ରଫେସର, ଏଫ୍ଏମ୍ ମେଡିକାଲ କଲେଜରେ ୮ ପ୍ରଫେସର, ୧୧ ଆସିଷ୍ଟାଣ୍ଟ ପ୍ରଫେସର, ବିବିଏମ୍ସିଏଚ୍ରେ ୪ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ଏସ୍ଜେଏମ୍ସିଏଚ୍ରେ ୪ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜରେ ଜଣେ ଲେଖାଏଁ ପ୍ରଫେସର ଓ ଯଥାକ୍ରମେ ୬ ଓ ୭ ଆସୋସିଏଟ୍ ପ୍ରଫେସର ପଦ ଖାଲିପଡ଼ିଛି । ଏପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରଙ୍କୁ ଏନ୍ଏମ୍ସି ଗାଇଡ୍ ଲାଇନ୍ ପୂରଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ସେଥିରେ ୧ ଲକ୍ଷ ୨୫ ହଜାର ଟଙ୍କା ଦରମାରେ ପ୍ରଫେସରଙ୍କୁ ଓ ୧ ଲକ୍ଷ ଟଙ୍କା ଦରମାରେ ଆସୋସିଏଟ୍ ପ୍ରଫେସରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବେ ।
ଅନ୍ୟପକ୍ଷରେ, ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ଓମ୍ଟା ପକ୍ଷରୁ ଆସନ୍ତା ୧୩ରେ ହେବାକୁ ଥିବା ରାଜ୍ୟସ୍ତରୀୟ ବୈଠକରେ ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ ବୋଲି ଜଣାପଡିଛି । ଡିପିସି ଓ ଅଧିକ ଦିନ ହେଲା କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇ ନିଯୁକ୍ତି ଦିଆଯିବା ବଦଳରେ କ’ଣ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅନେକ ବିଶେଷଜ୍ଞ । ତେବେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଥିବାବେଳେ ଭିତ୍ତିଭୂମି ଅଭାବ ବା ଫାକଲଟି ଅଭାବକୁ ନେଇ ଏନ୍ଏମ୍ସି ବିଭିନ୍ନ ସମୟରେ ଉଦ୍ବେଗ ପ୍ରକାଶ କରିବା ସହ ଏହାଦ୍ବାରା ଆଗାମୀ ଦିନରେ ପିଜି ସିଟ୍ କଟିଯିବାର ସମ୍ଭାବନା ରହିଛି । ତେବେ ୧୩ ତାରିଖରେ ଏସ୍ସିବିରେ ଓଡିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନ୍(ଓମ୍ଟା)ର ବୈଠକରେ ମୁଖ୍ୟ ଅତିଥିଭାବେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ), ଡିଏମ୍ଇଟି ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
