କଟକ : ପାଦ ରଖିବାକୁ ବି ଜାଗା ନାହିଁ । ୱାର୍ଡ ଭିତର ହେଉ କି ବାରଣ୍ଡା, ସବୁଠି ତଳେ ଗଡ଼ୁଛନ୍ତି ରୋଗୀ । କାହା ହାତରେ ସାଲାଇନ୍ ଲାଗିଛି ତ କାହାର ଅକ୍ସିଜେନ୍ । କାହା ପାଇଁ ଆଇସିୟୁର ବି ଆବଶ୍ୟକତା ଅଛି । କିନ୍ତୁ ଚଟାଣରେ ସପ ଅଥବା ବେଡସିଟ୍ ପାରି ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ସର୍ବବୃହତ ସରକାରୀ ମେଡିକାଲ ଏସ୍ସିବିର ପୁରୁଣା ମେଡିସିନ୍ ବିଭାଗର ଏଭଳି ଦୃଶ୍ୟ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉଦ୍ବେଗଜନକ ସ୍ଥିତି ବୟାନ କରୁଛି । ମେଡିସିନ୍ ବିଭାଗରେ ୮ଟି ୟୁନିଟ୍ ରହିଥିବା ବେଳେ ୧୨ ଶହ ବେଡ୍ ଦରକାର । କିନ୍ତୁ ରହିଛି ମାତ୍ର ୪୦୦ ।
ଅନ୍ୟପଟେ କେବଳ ବେଡ୍ ସମସ୍ୟା ନୁହେଁ, ବିଭାଗରେ ଡାକ୍ତର ବି ନାହାନ୍ତି । ୪୫ ଜଣ ଡାକ୍ତର ରହିବା ସ୍ଥାନରେ ଅଛନ୍ତି ମାତ୍ର ୨୨ ଜଣ । ବିଶ୍ବସ୍ତରୀୟ ଏସ୍ସିବି ପାଇଁ ୨୦୨୪ ସୁଦ୍ଧା କୋଠା ନିର୍ମାଣ ଶେଷ କରିବାକୁ ସରକାର ଯୋଜନା କରୁଥିବା ବେଳେ ଏ ସ୍ଥିତି ସୁଧାରିବାକୁ କେତେ ବର୍ଷ ନେବେ, ତାହା ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଛି ।
