୫ ମାସ ହେଲା ଖାଲି ପଡ଼ିଥିଲା ଏସ୍‌ସିବି ଏକ୍‌ମୋ ୟୁନିଟ୍‌, ଭର୍ତ୍ତିହେଲେ ରୋଗୀ

କଟକ : ୫ ମାସ ହେଲା ଖାଲି ପଡ଼ିଥିଲା ଏସ୍‌ସିବି ଏକ୍‌ମୋ ୟୁନିଟ୍‌ । ବୁଧବାର ଦିନ ନିମୋନିଆରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉକ୍ତ ମହିଳାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯିବାପରେ ତାଙ୍କର ଚିକିତ୍ସା ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଆରମ୍ଭ ହୋଇଛି । ମହିଳାଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ଅଞ୍ଚଳର ଓ ସେ ଜଣେ ‘ନନ୍‌ କୋଭିଡ୍‌’ ରୋଗୀ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, କରୋନା ସମୟରେ ରାଜ୍ୟ ସରକାର ଏହି ୯ଟି ଏକ୍‌ମୋ ମେସିନ୍‌ କିଣିଥିଲେ । ପ୍ରଥମରୁ ‌କେବଳ କେତେଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବା ପରେ ଏହି କୋଟି କୋଟି ଟଙ୍କାର ମେସିନ୍ ଆଉ ବ୍ୟବହାର ‌ନହୋଇ ପଡ଼ିରହିଛି । ଏପରିକି କେଉଁ ରୋଗରେ ଓ କେଉଁ ରୋଗୀଙ୍କୁ ଏକ୍‌ମୋ ଚିକିତ୍ସା ଦରକାର ଓ ଡାକ୍ତର ତାଙ୍କୁ କେଉଁ ପ୍ରକ୍ରିୟାରେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌କୁ ରେଫର୍‌ କରିବେ ସେ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି କି ଡାକ୍ତରମାନଙ୍କୁ ସଚେତନ କରାଯାଇନି । ଏହି ଏକ୍‌ମୋ ୟୁନିଟ୍‌ ପାଇଁ ୩ ଜଣ ବିଶେଷଜ୍ଞ ଡାକ୍ତର, ୪ ଜଣ ନିଶ୍ଚେତକ ବିଶେଷଜ୍ଞ ଓ ୭ ଜଣ ପରଫ୍ୟୁଜିନିଷ୍ଟ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଏଯାଏ ୧୧ ଜଣ ଚିକିତ୍ସିତ ହୋଇଥିବାବେ‌ଳେ ସମସ୍ତଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *