ମରଣମୁହଁରେ ରାଉରକେଲା ଏସ୍‌ଟିପିଆଇ !

ରାଉରକେଲା : ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) । ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା ଯୋଗାଇଦେବା ସହିତ ସଫ୍ଟୱେର୍‌ ଡେଭେଲପ୍‌ମେଣ୍ଟ୍ କରିବା ଦିଗରେ କମ୍ପାନିଗୁଡ଼ିକୁ ଉତ୍ସାହ ପ୍ରଦାନ କରାଯିବା । ରାଉରକେଲାରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନଲୋଜି ବା ଏନ୍‌ଆଇଟି ଓ ଆଖପାଖର ଶିଳ୍ପାଞ୍ଚଳକୁ ନଜରରେ ରଖି ଏହା ସ୍ଥାପନ କରା ଯାଇଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନଟି ଅକାମି ହୋଇପଡ଼ିଛି । ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ ବା ସହାୟତା କରିବାଲାଗି ସର୍ବନିମ୍ନ ସୁବିଧା ମଧ୍ୟ ଏଠାରେ ନାହିଁ । ଏପରିକି ଏହି କାମ ପାଇଁ ଆବଶ୍ୟକ ହେଉଥିବା ଇଣ୍ଟରନେଟ୍‌ ବ୍ୟବସ୍ଥା ମଧ୍ୟ ନାହିଁ ! ଫଳରେ ରାଜ୍ୟ ସରକାରଙ୍କ ସଂସ୍ଥା ଓକାକ୍ ମଧ୍ୟ ଏହାକୁ ଛାଡ଼ି ପଳାଇଛି । ଅନ୍ୟ ସଂସ୍ଥାଗୁଡ଼ିକର କାମ ମଧ୍ୟ ପ୍ରାୟତଃ ବନ୍ଦ ହେବାକୁ ବସିଲାଣି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୩ ମସିହାରେ ରାଉରକେଲା ସ୍ଥିତ ସେକ୍ଟର-୫ ଠାରେ ଆରମ୍ଭ ହୋଇଥିଲା ଏସ୍‌ଟିପିଆଇ । ଆରମ୍ଭ ହେବା ସମୟରେ ପ୍ରାୟ ୧୦ ଟି ସଫ୍ଟୱେର କମ୍ପାନି ଏଠାରେ କାମ କରୁଥିଲେ । ସେଥିମଧ୍ୟରେ ରାଜ୍ୟ ସରକାରଙ୍କ ଓକାକ୍ ମଧ୍ୟ ଥିଲା । ସଫ୍ଟୱ‌େର ଡେଭେଲପ୍‌ମେଣ୍ଟ ସହିତ ଇଂଜିନିୟରିଂ ଛାତ୍ରଛାତ୍ରୀ ଆସି ମଧ୍ୟ ଏଠାରେ ପାଠ ପଢ଼ୁଥିଲେ । ରାଉରକେଲା ଏନ୍‌ଆଇଟିର ଅନେକ ଛାତ୍ରଛାତ୍ରୀ ଏଠାକୁ ଆସି ନୂଆ ଷ୍ଟାର୍ଟଅପ୍ ବାବଦରେ ଗବେଷଣା କରୁଥିଲେ । କିନ୍ତୁ କ୍ରମେ ସେ ଗହଳଗହଳ କମି ଆସିଲା । କରୋନା ମହାମାରୀ ପରଠାରୁ ଏଠାରେ ଥିବା ଓକାକ୍ କାର୍ଯ୍ୟାଳୟର ଗେଟ୍‌ରେ ତାଲା ଝୁଲୁଛି । ଅନ୍ୟ ୮ ଟି କମ୍ପାନୀ ଏଠାରେ ରହିଥିବା ବେଳେ ସାଧାରଣ ବ୍ୟବସ୍ଥା ଓ ସୁବିଧା ମଧ୍ୟ ଉପଲବ୍ଧ ନଥିବାରୁ ଠିକ୍‌‌ରେ କାମ କରି ପାରୁନାହାନ୍ତି ଓ ସୁଯୋଗ ପାଇବାମାତ୍ରେ ପଳାଇବାକୁ ଯୋଜନା କରୁଛନ୍ତି । ଫଳରେ ବହୁ ସୁନ୍ଦର ସ୍ବପ୍ନକୁ ନେଇ ଆରମ୍ଭ ହୋଇଥିବା ଅନୁଷ୍ଠାନଟି ନିକଟ ଭବିଷ୍ୟତରେ ମୃତ୍ୟୁବରଣ କରିବା ଜଳଜଳ ଦେଖାଯାଉଛି ।

ଏନେଇ ରାଉରକେଲା ଏସ୍‌ଟିପିଆଇର ଜଣେ ଅଧିକାରୀ ଆଲୋକ ସାମଲ କହିଛନ୍ତି, ଏହି ଯୋଜନାର ବ୍ୟବସ୍ଥା ଥିଲା ଯେଉଁ ସଫ୍ଟୱେର ଡେଭେଲପମେଣ୍ଟ କମ୍ପାନି ଏଠାକୁ ଆସିବେ, ସେମାନଙ୍କ ପାଇଁ ଅନ୍ୟ ବୈଷୟିକ ସୁବିଧା ସହିତ ଉନ୍ନତମାନର ଘର, ଇଣ୍ଟର୍‌ନେଟ୍ ସେବା ଓ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଆଦି ଯୋଗାଇ ଦିଆଯିବ । କିନ୍ତୁ ଏଠାରେ ବର୍ତ୍ତମାନ କୌଣସି ବ୍ୟବସ୍ଥା ଠିକ୍ ରୂପେ କରାଯାଉନାହିଁ । ଏପରିକି ହାଇ ସ୍ପିଡ୍ ଇଣ୍ଟର୍‌ନେଟ୍ ଆବଶ୍ୟକ ହେଉଥିବାବେଳେ ଅନେକ ସମୟରେ ନେଟ୍ ସେବା ମୂଳରୁ ବନ୍ଦ ହୋଇଯାଉଛି । ନୂଆ କମ୍ପାନି ପାଇଁ ଘରର ବ୍ୟବସ୍ଥା ନାହିଁ । ତେଣୁ ଅନେକ କମ୍ପାନି ଏଠାକୁ ଯୋଜନା ନେଇ ଆସୁଥିଲେ ହେଁ ଏଠାକାର ସ୍ଥିତି ଦେଖି ଫେରି ଯାଉଛନ୍ତି ।

Leave a Reply

Your email address will not be published. Required fields are marked *