ଏସ୍.ଟି.ଏଫ ର ସଫଳତା ପଛରେ – ବାଲେଶ୍ୱର ପୋଲିସର ବିଫଳତା !

ଆନ୍ଦୋଳନ ବ୍ୟୁର : ବାଲେଶ୍ୱର ପାଲଟିଛି ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳୀ । ବିଶେଷକରି ସହଦେବଖୁଣ୍ଟା ଥାନା ଅଧିନସ୍ଥ ଅଡ଼ରବଜାର ବ୍ରାଉନ୍‌ସୁଗାର ବେପାରୀଙ୍କ ଚରାଭୂଇଁ । ବିଭିନ୍ନ ସମୟରେ ଏସ୍‌ଟିଏଫ ଟିମ୍ ବାଲେଶ୍ୱରରୁ ବ୍ରାଉନ୍‌ସୁଗାର ଚୋରାବେପାରୀଙ୍କୁ ଗିରଫ କରୁଥିବା ବେଳେ ନିକଟରେ ୧୩୨୦ଗ୍ରାମ୍ ବ୍ରାଉନ୍‌ସୁଗାର ଜବଦ କରିଛି ଏସ୍‌ଟିଏଫ ଟିମ୍ । ଏହି ପ୍ରସଙ୍ଗରେ ମୁଖ୍ୟତଃ ଦୁଇଟି ପ୍ରଶ୍ନ ଉଠେ । ୧ – ଏସ୍‌ଟିଏଫ ବ୍ରାଉନ୍‌ସୁଗାର ଜବତ କରୁଥିବା ବେଳେ ବାଲେଶ୍ୱର ପୋଲିସ ବ୍ରାଉନ୍‌ସୁଗାର ଜବତ କରିପାରୁ ନାହିଁ କାହିଁକି? ୨- ବାରମ୍ବାର ବ୍ରାଉନସୁଗାର ଜବତ ସାଙ୍ଗକୁ ଚୋରା ବେପାରୀଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ବ୍ରାଉନ୍‌ସୁଗାର ଚୋରା ବେପାର ବନ୍ଦ ହେଉନାହିଁ କାହିଁକି ?

ବ୍ରାଉନସୁଗାର ହବ୍ ପାଲଟିଥିବା ବାଲେଶ୍ୱର ସହରରୁ ଏହି ଧଳା ଜହର ବେପାର ବନ୍ଦ ନହେବାର ମୁଖ୍ୟ କାରଣ ହେଲା ପୋଲିସ ନିଶା ବେପାରୀଙ୍କ ମଧ୍ୟରେ ଥିବା ସମ୍ପର୍କ । ଯାହାଫଳରେ ଦୀର୍ଘଦିନରୁ ଚାଲିଥିବା ଏହି ଚୋରା ବେପାର ଉପରେ ଲଗାମ ଲାଗିପାରୁନାହିଁ । ଏସଟିଏଫ ଯେତେ ଚେଷ୍ଟା କରି ଚଢ଼ାଓ କଲେ ମଧ୍ୟ ଚୋରା ବେପାରୀମାନେ ଦିନକୁ ଦିନ ନୂଆନୂଆ ଫର୍ମୁଲାରେ ଏହି ବେପାର ଚଳାଇ ରଖିଛନ୍ତି । ନିକଟରେ ଏହାର ଏକ ଦୃଷ୍ଟାନ୍ତ ମଧ୍ୟ ଲୋକ ଲୋଚନକୁ ଆସିଛି । ଜଳେଶ୍ୱର ଥାନା ଆଇଆଇସିଙ୍କର ବ୍ରାଉନ୍‌ସୁଗାର ବେପାରୀଙ୍କ ସହିତ ଥିବା ସମ୍ପର୍କ ପ୍ରମାଣିତ କରୁଛିଯେ, ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଏହି ନିଶା କାରବାରରେ  ପୋଲିସର ପ୍ରଛନ୍ନ ହାତ ରହିଛି । ପୋଲିସର ବାହୁଛାୟା ତଳେ ରହି ନିଶାବେପାରୀମାନେ ସେମାନଙ୍କର ବେପାରକୁ ଆରାମରେ ଚଳାଇଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ, ବହୁ ପୋଲିସ ଅଧିକାରୀ ପୁରୁଣା ଥାନା ଛାଡ଼ି ଯିବାକୁ ନା’ରାଜ । ଗୋଟିଏ ଥାନାରେ ୩ବର୍ଷରୁ ଅଧିକ ସମୟ ରହିପାରିବାର ନିୟମ ନଥିବା ବେଳେ ବହୁ ଅଧିକାରୀଙ୍କ କ୍ଷେତ୍ରରେ ଏହାର ଉଲ୍ଲଙ୍ଘନ ହେଉଥିବା ନଜରକୁ ଆସିଛି । ଯଦି ସେଭଳି କିଛି ସମସ୍ୟା ଆସିଲା, ତେବେ ଅଳ୍ପ କିଛିଦିନ ପାଇଁ ନିକଟସ୍ଥ ଅନ୍ୟଏକ ଥାନାକୁ ବଦଳି ହୋଇ ପୁନଶ୍ଚ ନିଜର ପୁରୁଣା ଥାନାକୁ ଫେରିଆସିବାର ଦେଖିବାକୁ ମିଳେ । ନିଶା ବେପାରୀଙ୍କ ଠାରୁ ମାସିକ ହପ୍ତା ନେଇ ବାଲେଶ୍ୱର ପୋଲିସ ସାହାଯ୍ୟ ପ୍ରେତ୍ସାହନ ଦେଇ ଚାଲିଛି କି ବୋଲି ପ୍ରଶ୍ନ ଉଠିବା ସ୍ବଭାବିକ । ତାହା ହୋଇନଥିଲେ ଏସ୍‌ଟିଏଫ ଟିମ୍ ବାଲେଶ୍ବର ଆସି ବ୍ରାଉନ୍‌ସୁଗାର ଜବଦ କରୁଥିବା ବେଳେ ବାଲେଶ୍ୱର ପୋଲିସ ଧରିପାରୁନାହିଁ କାହିଁକି? କଥାରେ ଅଛି, ‘ଖଜୁରୀ ଗଛର କି’ଗୁଣ ଗାଇବି ମୂଳରୁ ପାହୁଚ ପାହୁଚ’ ଭଳି ପୋଲିସ ବିଭାଗର ମୂଳରୁ ଉପର ପର୍ଯ୍ୟନ୍ତ ପ୍ରତ୍ୟକ୍ଷରେ ହେଉ କିମ୍ବା ପରୋକ୍ଷରେ, ନିଶାବେପାରୀଙ୍କ ସହିତ ଥିବା ସମ୍ପର୍କ ପାଇଁ ବାଲେଶ୍ୱର ସହର ବ୍ରାଉସୁଗାର ବେପାରର ହବ୍ ପାଲଟି ସାରିଛି, ଏଥିରେ ତିଳେହେଲେ ସନ୍ଦେହ ନାହିଁ । ତେଣୁ ପୋଲିସବିଭାଗର ଉଚ୍ଚ ପଦାଧିକାରୀମାନେ ଏହାଉପରେ ଦୃଷ୍ଟି ନଦେଲେ, ଏସ୍‌ଟିଏଫ ଟିମ୍ ଯେତେ ଚଢ଼ାଓ କଲେ ମଧ୍ୟ ବାଲେଶ୍ୱର ସହରରୁ ନିଶାବେପାର ବନ୍ଦ କରିବା ସମ୍ଭବ ହେବନାହିଁ ।

Leave a Reply

Your email address will not be published. Required fields are marked *