ବଣାଇ : ବଣାଇ ବନଖଣ୍ଡ ଟିକାୟତ ପାଲି ସେକ୍ସନ ଅନ୍ତର୍ଗତ ବଳିତା କୁଦର ଗ୍ରାମରେ ବନ୍ୟଜନ୍ତୁର ମାଂସ କାଟୁଥିବା ସମୟରେ ତିନି ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ବନ୍ୟପ୍ରାଣୀ ପାଣି ପିଇବା ଉଦ୍ଦେଶ୍ୟରେ ଗାଁ ନିକଟକୁ ଚାଲି ଆସୁଛନ୍ତି । ସେହିପରି ଭାବେ ଆଜି ସକାଳ ୯ଟା ସମୟରେ ଏକ କୁଟୁରା ପାଖ ଜଙ୍ଗଲରୁ ଗାଁ ନିକଟକୁ ଚାଲି ଆସିବାରୁ ଗାଁ କୁକୁରଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା ।ପରେ ଏହା ଗ୍ରାମର କିଛି ବ୍ୟକ୍ତିଙ୍କ ନଜରକୁ ଆସିବାରୁ ସେମାନେ ବନବିଭାଗକୁ ଖବର ନଦେଇ ମୃତ କୁଟୁରାକୁ ନେଇ ମାଂସ ଉଦ୍ଧେଶ୍ୟରେ କାଟୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଟିକାୟତ ପାଲି ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି, ନିଜର ସହକର୍ମୀକୁ ନେଇ ଗ୍ରାମରେ ଅତର୍କିତ ଚଢ଼ାଉ କରି ମାଂସ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଵଣାଇ ରେଞ୍ଜ ଅଫିସକୁ ଆଣିଥିବା ଜଣାପଡିଛି । ମୃତ କୁଟୁରାର ଅବଶିଷ୍ଟ ଅଂଶକୁ ଵଣାଇ ବ୍ରାହ୍ମଣୀ ନର୍ସରୀକୁ ନିଆଯାଇ ଵଣାଇର ପ୍ରାଣୀଧନ ଚିକିତ୍ସା ଅଧିକାରୀ ଚନ୍ଦନ କୁମାର ମହାନ୍ତିଙ୍କ ଦ୍ଵାରା ବ୍ୟବଛେଦ କରାଯିବା ପରେ ସମସ୍ତ ମାଂସକୁ ନଷ୍ଟ କରାଯାଇ ମାଟି ଖୋଳି ପୋତି ଦିଆଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ସହିତ ସମସ୍ତ ଘଟଣା ଉପରେ ଵଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ତଦନ୍ତ ଜାରି ରଖିଥିବା ବେଳେ, ତଦନ୍ତ ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
