ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ଖଟାଲ : ମାଡ଼ି ବସିଛନ୍ତି ଏକର ଏକର ସରକାରୀ ଜମି

ରାଉରକେଲା : ସ୍ମାର୍ଟ ସିଟିରେ ବସ୍ତିର ବିକାଶକୁ ଗୁରୁତ୍ବ ଦିଆଯାଉଛି । ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଡିଣ୍ଡିମ ପିଟୁଛନ୍ତି । ସହର ଭିତର ବସ୍ତିଗୁଡ଼ିକୁ ଦେଖିଲେ ବିକାଶ ବାରି ହୋଇ ପଡୁଛି । ଏବେ ସ୍ମାର୍ଟ ସିଟିରେ ପରିମଳ ବ୍ୟବସ୍ଥାକୁ ବିଗାଡୁଛି ମାଳମାଳ ଖଟାଲ । ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ସହରର ସୌନ୍ଦର୍ଯ୍ୟକରଣରେ ବାଧକ ସାଜୁଛି । ପିଲାମାନଙ୍କ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ସଂକ୍ରମିତ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ଏ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଉରକେଲା ସହରରେ ଛୋଟ ବଡ଼ ମୋଟ ପ୍ରାୟ ୫୦ ରୁ ଅଧିକ ଖଟାଲ ରହିଛି । ବାସନ୍ତୀ କଲୋନି, ଝରଣା ବସ୍ତି, ଡିଏଭି ବସ୍ତି, ଡେଲିମାର୍କେଟ ମଛଲି ମାର୍କେଟ, କଳିଙ୍ଗ ବିହାର, ତରକେରା, ପାନପୋଷ, ବେଦବ୍ୟାସ, ଉଦିତନଗର ଶୀତଳପଡା, ସିଭିଲଟାଉନ୍‌ସିପ, ଖରିଆବାହାଲ ବସ୍ତି, ସେକ୍ଟର-୬ ଏଚ୍‌ ବ୍ଲକ, ସେକ୍ଟର-୧୬, ସେକ୍ଟର-୭ ଇ ବ୍ଲକ, ବଲାଙ୍ଗୀର ବସ୍ତି, ଆଜାଦ ବସ୍ତି, ମିଶ୍ରା ଖଟାଲ, ନେହେରୁ ବସ୍ତି ଆଦି ଅଞ୍ଚଳରେ ଖଟାଲ୍ ରହିଛି ।

ଏହି ଖଟାଲଗୁଡ଼ିକ ଆର୍‌ଏମ୍‌ସି ଓ ଆରଏସପି ଅଧିନରେ ରହିଛି । ଖଟାଲ ମାଲିକମାନେ ଶହ ଶହ ଏକର ସରକାରୀ ଜାଗା ମାଡ଼ିବସିଛନ୍ତି । ଉଦାହରଣ ଭାବେ ୧୦ ନମ୍ବର ଓ୍ବାର୍ଡର ମାଲଗୋଦାମ ଅଞ୍ଚଳକୁ ନିଆଯାଇପାରେ । ଏଠାରେ ବର୍ଷ ବର୍ଷ ଧରି ଡ୍ରେନ୍ ସମସ୍ୟା ଲାଗିରହିଛି । ଖଟାଲରୁ ନିର୍ଗତ ଆବର୍ଜନା ରୁ ଡ୍ରେନ୍ ଜାମ ରହୁଛି । ଫଳରେ ଡ୍ରେନର ଆବର୍ଜନା ପାଣି ବସ୍ତି ରାସ୍ତାରେ ଲହଡ଼ି ମାରୁଛି । କେବଳ ସେତିକି ନୁହେଁ, ଏଠାରେ ୨ ଟି ନଳକୂପ ରହିଛି । ନଳକୂପ ନିକଟରେ ଗୋବର ଗଦା ହେବା ସହ ଖଟାଲର ଆବର୍ଜନା ପାଣି ଜମୁଛି । ଗତ ବର୍ଷ ଏହି ବସ୍ତିରୁ ୪ ଶହରୁ ଅଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଆର୍‌ଏମ୍‌ସି ପକ୍ଷରୁ ମଶା ଧୂଆଁ ଦେବା ପାଇଁ ବ୍ୟବସ୍ଥା ରହିଛି । ମାତ୍ର ଏସବୁ କିଛି ବସ୍ତିରେ କରାଯାଉ ନାହିଁ । ସ୍ଥାନୀୟ ଲୋକ କହିଛନ୍ତି, ଖଟାଲ ମାଲିକ ଶହ ଶହ ଗାଈ ମଇଁଷି ରଖୁଛନ୍ତି । କ୍ଷୀର, ଦହି ଓ ଘିଅ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଛୋଟ ଡ୍ରେନରେ ଗୋବର ଆବର୍ଜନା ପାଣି ଆସି ଡ୍ରେନ୍ ଜାମ ହେଉଛି । ଦୈନନ୍ଦିନ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ପରିବେଶ ଅସ୍ବାସ୍ଥ୍ୟକର ସୃଷ୍ଟି ହେବା ଫଳରେ ଗତ ବର୍ଷ ଏଠାରୁ ଡେଙ୍ଗୁ ରୋଗୀ ବାହାରି ଥିଲେ । ଏନେଇ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଛୁ । କିନ୍ତୁ କାର୍ଯ୍ୟକାରୀ ହେଉନି । ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *