ବଣାଇଗଡ,, (ଲୋକନାଥ ସାମଲ)
ବଣାଇଁ ବନଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ବରସୁଆଁ ରେଞ୍ଜର ଜଳଡିହି ବିଟର ସିଡିମା ଗ୍ରାମରେ ଗତକାଲି ବିଳମ୍ବିତ ରାତି ୨ଟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସିଡିମା ଗ୍ରାମରେ ଗତକାଲି ରାତିରେ ଏକ ହାତୀପଲ ଗ୍ରାମକୁ ଆସି ମାସକାଲନ ଘରକୁ ଭାଙ୍ଗୁଥିଲେ। ସେ ସମୟରେ ମାସକାଲନ ମୁଣ୍ଡା (୬୧)ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଘରୁ ଦୌଡ଼ି ପଳାଉଥିବା ବେଳେ ଗାଁ ଦାଣ୍ଡରେ ବୁଲୁଥିବା ଅନ୍ୟ ଏକ ଦନ୍ତା ହାତୀ ତାକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ପରେ ହାତୀପଲ ଜଗଂଲକୁ ଚାଲି ଯିବାପରେ ଗାଁଲୋକେ ମାସକାଲନ କୁଂ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବରସୁଆଁ ବନାଞ୍ଚଳ ଅଧିକାରୀ ନବୀନ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ କୋଇଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିବା ସହ ବଣାଇଁ ବନ ବିଭାଗ ପକ୍ଷରୁ ମୃତ ମାସକାଲନ କଂ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଧାନ କରାଯାଇ ଥିବା ଜଣାପଡ଼ିଛି।
