୮ ବର୍ଷ ପରେ ମଧ୍ୟ ନିର୍ମାଣ ହୋଇପାରୁନି କେନ୍ଦ୍ରୀୟ ବିଦ୍ୟାଳୟ

ଯାଜପୁର : କୋରେଇ ତଥ‌ା ବ୍ୟାସନଗର ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ଶହ ଶହ କୋଟି ଟଙ୍କାର ଯୋଜନା ପରେ ଯୋଜନା ଘୋଷଣା ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସେବା ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପ୍ରତି ସେପରି ଧ୍ୟାନ ଦିଆଯାଉ ନାହିଁ । ନମୁନା ସ୍ବରୂପ କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ଦିନ ହେଲା ଏନ୍‌ସି ଉଚ୍ଚବିଦ୍ୟାଳୟ ପରିସରରେ ଅସ୍ଥାୟୀ ଘରେଚାଲିଛି । କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୩ କୋଟି ୩୨ ଲକ୍ଷ ୪୭ ହଜାର ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିଲେ ହେଁ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । ଯାହାକି ବିକାଶ ପ୍ରତି ଲୋକପ୍ରତିନିଧ ଓ ପ୍ରଶାସକଙ୍କର ଆନ୍ତରିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତର ଇଟାପୁର ମୌଜାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୯ ଏକର ୧୦ ଡିସିମିଲ୍ ଜମି ୮ ବର୍ଷ ହେଲା ଅର୍ଥାତ୍‌ ୨୦୧୩ ମସିହାରୁ ଚିହ୍ନଟ ହୋଇଛି । ସ୍କୁଲ ନିର୍ମାଣ ପାଇଁ ୨୩ କୋଟି ୩୨ ଲକ୍ଷ ୪୭ ହଜାର ଟଙ୍କା ମଞ୍ଜୁର ହୋଇଛି । ଅଥଚ ସ୍କୁଲ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ । ସ୍ମରଣ ଯୋଗ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୨ଟି ବୃ୍ହତ ଇସ୍ପାତ କାରଖାନା ସହିତ ଏକାଧିକ ସିମେଣ୍ଟ କାରଖାନା ଗଢି ଉଠିଥିବା ବେଳେ ବ୍ୟାସନଗର ସହରରେ ଯାଜପୁର-କେନ୍ଦୁଝରରୋଡ଼ ଷ୍ଟେସନ ରହିଛି । ପ୍ରଗତି ପଥରେ କୋରେଇ ଓ ପଡ଼ୋଶୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏକାଧିକ ବିଭାଗ କାର୍ଯ୍ୟ କରୁଛି । ବ୍ୟାସନଗର ସହରର ବିକାଶକୁ ଲକ୍ଷ୍ୟ କରି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଗଢିଉଠିଛି । ‌ବ୍ୟାସନଗର ସହର ଜନସଂଖ୍ୟା ପ୍ରାୟ ୨ ଲକ୍ଷ ହେବାକୁ ବସିଲାଣି । ଏଠାରେ ଅବସ୍ଥାପିତ ‌ଜନସାଧାରଣଙ୍କ ପାଇଁ ଆବଶ୍ୟକ ଉନ୍ନତ ମାନର ଶିକ୍ଷାନୁଷ୍ଠାନ, ଚିକିତ୍ସା ପାଇଁ ଡାକ୍ତରଖାନା, ଆମୋଦପ୍ରମୋଦ ପାଇଁ ଉଦ୍ୟାନଟିଏ ନାହିଁ । ଅଞ୍ଚଳ ବିକାଶକୁ ନେଇ ଚରମ ଅବହେଳା ଓ ରାଜନୈତିକ ଛକାପଞ୍ଝା ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପ୍ରତି ଚରମ ଅବହେଳାକୁ ନେଇ ଏବେ ପ୍ରତିବାଦର ସ୍ବର ଶାଣିତ ହେବାରେ ଲାଗିଛି । ଏହାକୁ ନେଇ ମାଧବାନନ୍ଦ ବଳ, ଅଚ୍ୟୁତାନନ୍ଦ ମହାନ୍ତି, ଡକ୍ଟର ନିହାର ରଞ୍ଜନ ଜେନା, ଶିକ୍ଷାବିତ୍ ସୌରଭମୟ ଦାସ, ଆଇନଜୀବୀ ବିବେକାନନ୍ଦ ମହାନ୍ତି ପ୍ରମୁଖ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ନିର୍ମାଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ, କୋରେଇ ଓ ସୁକିନ୍ଦା ବିଧାୟକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *