ବଣାଇ : ଗତକାଲି ମେ ୧ ତାରିଖ ବିଶ୍ଵ ଶ୍ରମିକ ଦିବସ ପାଳନ ପରିପ୍ରେକ୍ଷୀରେ ଵଣାଇ ଉପଖଣ୍ଡରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଣାଇ ସହର ନିକଟସ୍ଥ ମାଁ କାଳୀ ଏବଂ ଶିବ ମେଟାଲିକ ସ୍ପଞ୍ଜ ଆଇରନ କାରଖାନାରେ କାର୍ଯ୍ୟରତ ସି.ଆଇ.ଟିୟୁ ସଂଗଠନର ସମସ୍ତ ଶ୍ରମିକ ଉପସ୍ଥିତ ରହି ଶ୍ରମିକ ଦିବସ ପାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ସିପିଆଇ ଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ ଯୋଗଦେଇ ସାଂଗଠନିକ ପତାକା ଉତ୍ତୋଳନ କରିଥିଲେ । ତା’ ସହିତ ଉପଖଣ୍ଡରେ ଥିବା ବିଭିନ୍ନ କଳକାରଖାନା, ଖଣିଖାଦାନ, ନିର୍ମାଣ ଇତ୍ୟାଦି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ଵୀମା ସହିତ ସେମାନଙ୍କ ଅଧିକାର ଆଦି କିପରି ଭାବରେ ସୁରକ୍ଷିତ ରହିପାରିବ ସେ ସମ୍ପର୍କରେ ଉପସ୍ଥିତ ଶ୍ରମିକମାନଙ୍କୁ ଉଦବୋଧନ ଦେବା ସହିତ ଶ୍ରମକୁ ସମ୍ମାନ ଦେବା ଉପରେ ଗୁରୁତ୍ଵାରୋପ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଵଣାଇ ବିଧାୟକଙ୍କ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ ଯୋଗଦେଇ ଶ୍ରମିକଙ୍କ ନିଷ୍ଠା, ପରିଶ୍ରମ, ତ୍ୟାଗ ଓ ସମାଜ ପ୍ରତି ସେମାନଙ୍କର ଅବଦାନ ପ୍ରଶଂସନୀୟ ବୋଲି କହିବା ସହିତ ଶ୍ରମିକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
