ଭୁବନେଶ୍ୱର : ତାତିରୁ ନାହିଁ ନିସ୍ତାର । ଏପ୍ରିଲ ୨୯ ଯାଏ ତତଲା କଡ଼େଇରେ ସିଝିବ ପୁର ଓଡ଼ିଶା । ଦିନକୁ ଦିନ ପାରଦ ଉପର ମୁହାଁ ହେଉଥିବା ବେଳେ ଆଗାମି ୩ ଦିନ ପ୍ରଚଣ୍ଡ ଖରା ହେବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପୂର୍ବରୁ ଆଭ୍ୟନ୍ତରୀଣ ଓ ଉପକୂଳରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ମୁଣ୍ଡଫଟା ଖରା ।
ଭୟଙ୍କର ଗରମରେ ଛଟପଡ଼ ମଣିଷଠୁ ପଶୁପକ୍ଷୀ । ସୋମବାର ୨୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୧୬ ସହରରେ ୪୨ ଡ଼ିଗ୍ରୀ ଏବଂ ତା’ ଠାରୁ ଅଧିକ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ସହ ବଲାଙ୍ଗୀର ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।
ଆଜି ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକରେ ହିଟ୍ ୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି । ତେଣୁ ଜରୁରୀ କାମ ନଥିଲେ ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ୩୦ ତାରିଖରୁ କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି ।
