ପ୍ରତି ସୋମବାର ସବୁ ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ଅସହାୟ ଲୋକଙ୍କ ଅଭିଯୋଗ ଠିକଣା ଭାବେ ଶୁଣାଣି ହୋଇପାରିନାହିଁ । ଏବେ କରୋନା ମହାମାରୀ ହ୍ରାସ ପାଇଥିବାରୁ ଲୋକଙ୍କ ଶୁଣାଣିକୁ ପ୍ରାଥମିକତା ଦିଆଯିବ । ଏଣିକି ପ୍ରତ୍ୟେକ ସୋମବାର ସବୁ ବିଭାଗ ମୁଖ୍ୟ, ସବୁ ନିର୍ଦେଶ, ସବୁ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ ମହାନିର୍ଦେଶଙ୍କ ସ୍ତରରେ ଜନଶୁଣାଣି ହେବ । ଅସହାୟ ଲୋକେ ଯେଭଳି ନିରାଶ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦେଇ ଶୁଣାଣି କରିବାକୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପତ୍ର ଲେଖି ଅବଗତ କରାଇଛନ୍ତି ।

ଶ୍ରୀ କୁମାର ପତ୍ରରେ ଦର୍ଶାଇଛନ୍ତି ଯେ କରୋନା ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ୧୩ ରୁ ଅଭିଯୋଗ ପ୍ରକୋଷ୍ଠରେ ବ୍ୟକ୍ତିଗତ ଶୁଣାଣି ହୋଇପାରିନାହିଁ । ଏହି ସମୟରେ ସରକାରଙ୍କ ପକ୍ଷରୁ ସଞ୍ଚାର ଜରିଆରେ ‘ଜନଶୁଣାଣି’ କରାଯାଉଥିଲା । ହେଲେ ଅସହାୟ ଲୋକେ ଏହାର ଫାଇଦା ଉଠାଇ ପାରୁନଥିଲେ । ଏବେ ସରକାରଙ୍କ ପକ୍ଷରୁ କରୋନା କଟକଣା ହଟାଯାଇଛି, ଆସନ୍ତା ସୋମବାରଠାରୁ ପ୍ରତ୍ୟେକ୍ଷ ଭାବେ ଅଭିଯୋଗ ଶୁଣାଣି କରାଯିବ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନରେ ଲୋକଭିଡ଼ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡା କରିବାକୁ ଶ୍ରୀ କୁମାର ଗୃହବିଭାଗକୁ ଅବଗତ କରାଇଛନ୍ତି । ଶ୍ରୀ କୁମାର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଏଣିକି ଅଭିଯୋଗ ପ୍ରକୋଷ୍ଠରେ ଲୋକେ ଯେଭଳି ଠିକଣା ଭାବେ ତାଙ୍କର ମତ ରଖିପାରିବେ ସେଥିପ୍ରତି ଦୃଷ୍ଟି ଦେଇ ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ ପଡ଼ିବ । ଆବଶ୍ୟକ ପଡ଼ିଲେ ଯୁଗ୍ମ ଶୁଣାଣି କରିହେବ । ସଂପ୍ରତି ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଲୋକେ ଯେଭଳି ପାନୀୟଜଳ ଓ ବିଶ୍ରାମ ନେବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାକୁ ନଜରରେ ରଖି ପାନୀୟଜଳ ଓ ବିଶ୍ରାମସ୍ଥଳର ବ୍ୟବସ୍ଥା କରାଯାଇ ପାରିବ । ସବୁଠାରୁ ବଡ଼କଥା ହେଲା ଲୋକେ ଯେଉଁ ଅଭିଯୋଗ କରିବେ, ତାଙ୍କୁ ତୁରନ୍ତ ଅଭିଯୋଗ ପାଇବାର ରସିଦ୍ ତଥା ‘ଆକନଲେଜମେଣ୍ଟ’ ପ୍ରଦାନ କରାଯିବ । ଉକ୍ତ ଅଭିଯୋଗକୁ ସଞ୍ଚାରଭିତ୍ତିକ ଜନଶୁଣାଣି ପୋର୍ଟାଲରେ ଅପଲୋଡ କରାଯିବ । ପ୍ରତି ଅଭିଯୋଗର ସମାଧାନ ଲାଗି ଜିଲାପାଳମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜରିଆରେ ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ କୁମାର ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *