ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ପଡୁନାହିଁ ସରକାରଙ୍କ ଶୁଭ ଦୃଷ୍ଟି

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ୧ ଏପ୍ରିଲ ୧୯୪୬ ମସିହାରେ ସ୍ଥାପିତ ଦେଶ ସ୍ଵାଧୀନତା ପୂର୍ବରୁ ଗଠିତ ପ୍ରାଥମିକ ବିଦ୍ୟାଳୟ ଏବେ ପଞ୍ଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଛି । ହେଲେ ଏହି ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଶ୍ରେଣୀଗୃହ ଟିଏ ନିର୍ମାଣ ହୋଇପାରିନାହିଁ । ଯେଉଁ ଟିଣ ଛପର ଶ୍ରେଣୀଗୃହ ଥିଲା ତାହା ଗତ ୩ ତାରିଖ କାଳ ବୈଶାଖୀ ପବନରେ ଉଡ଼ାଇ ନେଇଥିବାରୁ ଏବେ ଖୋଲାମେଲାରେ ଥିବା ଶ୍ରେଣୀଗୃହରେ ଖରାରେ ବସି ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ ୨୮୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ ବିଦ୍ୟାଳୟ ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିନାହିଁ ।

ବିଦ୍ୟାଳୟରେ ରୋଷେଇ ଘରଟିଏ ନଥିବା ବେଳେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ରଖିବା ପାଇଁ ଗୋଦାମଗୃହ ମଧ୍ୟ ନାହିଁ । ଏଠାରେ ୮ଟି ଶ୍ରେଣୀକୁ ମାତ୍ର ୬ ଜଣ ଶିକ୍ଷକ ଅଛନ୍ତି । ଅନୁପାତ ହାରରେ ମଧ୍ୟ ଏଠାରେ ୩ ଜଣ ଶିକ୍ଷକ କମ୍ ଅଛନ୍ତି । ଭଙ୍ଗା ପାଚେରୀ, କଳଙ୍କି ଲଗା ପାଣି ବାହାରୁ ଥିବା ନଳକୂପ, ଛାତ୍ରଛାତ୍ରୀଙ୍କୁ ଟୋପାଏ ପାଣି ପାଇଁ ବାହାରକୁ ଯିବାକୁ ବାଧ୍ୟ କରୁଛି । ଦେଶ ସ୍ଵାଧୀନତା ପୂର୍ବରୁ ସ୍ଥାପିତ ଗୋଟିଏ ପଞ୍ଚାୟତ ସ୍ତରୀୟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଯଦି ଏହି ଭଳି ହୁଏ ତାହାଲେ ଏପରି ଅପାରଗତା ପାଇଁ କାହାକୁ ଦାୟୀ କରାଯିବ ବୋଲି ଏଠାରେ ପ୍ରଶ୍ନ ଉଠୁଛି ।

Leave a Reply

Your email address will not be published. Required fields are marked *