ବେଆଇନ୍‌ ଇଟା ଫ୍ୟାକ୍ଟ୍ରି : କାର୍ଯ୍ୟାନୁଷ୍ଠାନ୍‌ ଶୂନ୍‌, ମାଲିକ ବେଫିକର୍‌

ବରଗଡ଼ : ଅମ୍ବାପାଲିଠା‌ରେ ଥିବା ପାଉଁଶ ଗୁଣ୍ଡରେ ପ୍ରସ୍ତୁତ ହେଉଥିବା ଇଟା ଫ୍ୟାକ୍ଟ୍ରିର ଅବସ୍ଥିତି ସଂପୂର୍ଣ୍ଣ ବେଆଇନ୍‌‌ ବୋଲି ଅଭିଯୋଗ ଉଠିଛି । ଏହି ଫ୍ର୍ୟାକ୍ଟ୍ରିରେ ପରିବେଶ ମଂଜୁରୀର କୌଣସି ନୀତିନିୟମ ପାଳନ ହୋଇନାହିଁ । ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌କୁ ଫ୍ୟାକ୍ଟ୍ରି ମାଲିକ ଦଳିମଚକି ଦେଇଛନ୍ତି । ଗାଇଡ୍‌ଲାଇନ୍‌ ଅନୁସାରେ, ଏଭଳି ଫ୍ୟାକ୍ଟ୍ରିର ଚାରି ପାର୍ଶ୍ବରେ ଉଚ୍ଚ ପାଚେରୀ ରହିବା କଥା । ଯଦ୍ବାରା ପାଉଁଶ ଗୁଣ୍ଡ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିବ । ପାଉଁଶ ଗୁଣ୍ଡ ଯେଭଳି ଉଡ଼ିବନି, ନିୟମିତ ବ୍ୟବଧାନରେ ଏଥିରେ ପାଣି ସିଂଚନ ବ୍ୟବସ୍ଥା ରହିବା କଥା ।

ସେହିପରି ଫ୍ୟାକ୍ଟ୍ରିକୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଦୁଇଟି ରାସ୍ତା ରହିବା ଉଚିତ । ଏହି ରାସ୍ତାରେ ବି ପାଣି ସିଂଚନ ହେବା ନିୟମ ରହିଛି । କିନ୍ତୁ ଏହି ସାଧାରଣ ନିୟମକୁ ବି ଫ୍ୟାକ୍ଟ୍ରି ମାଲିକ ପାଳନ କରିନାହାନ୍ତି । ଫ୍ୟାକ୍ଟ୍ରିର ଦୁଇଟି ପାର୍ଶ୍ବରେ କେବଳ ପାଚେରୀ ରହିଛି । ଆଗ ଏବଂ ପଛପାଖ ହୁଗୁଳା ରହିଛି । ଫଳରେ ସିମେଣ୍ଟ ଗୁ୍ଣ୍ଡ ସମ୍ମୁଖ ଭାଗରୁ ରାଜପଥ ଉପରକୁ ମାଡ଼ି ଆସୁଛି । ପଛ ପାର୍ଶ୍ବରେ ସିଧା ଯାଇ ବଂଜାରୀ ନଦୀରେ ମିଶୁଛି । ପବନ ହେଲେ ପାର୍ଶ୍ବରେ ଥିବା ବିଲରେ ପାଉଁଶ ଗୁଣ୍ଡ ବିଛେଇ ହୋଇ ପଡ଼ୁଛି ।

ଇଟା ଗଢ଼ିବା ପାଇଁ ଏଠାରେ ଗଦା ହେଉଥିବା ପାଉଁଶ ସେଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହୁଛି । ପ୍ରବେଶ ପଥ ଜାତୀୟ ରାଜପଥ ପଟେ ମେଲା ରହିଛି । ଫଳରେ ଗୁଣ୍ଡ ଯାତ୍ରୀମାନଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ଖୋଲାଖୋଲି ଫ୍ୟାକ୍ଟ୍ରି ମାଲିକ ନିୟମ ଭାଂଗୁଥିଲେ ହେଁ ପ୍ରଶାସନର ନଜର ପଡ଼ୁନଥିବା ଆଶ୍ଚର୍ଯ୍ୟର କଥା । ସାମାଜିକକର୍ମୀମାନେ ଫ୍ୟାକ୍ଟ୍ରି ମାଲିକଙ୍କ ଏଭଳି ବେପରୁଆ କାରନାମା ସଂପର୍କରେ ସଂପୃକ୍ତ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ଟ୍ବିଟ୍‌ ମଧ୍ୟ କରିଛନ୍ତି । ହେଲେ କାହାରି ପକ୍ଷରୁ କିିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଚୁପ୍‌ ରହିଛି । ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ସ୍ଥାନୀୟ ଅଂଚଳବାସୀ ସ୍ବର ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *