ସମ୍ବଲପୁର : ମହାନଦୀକୁ ନେଇ ଓଡ଼ିଶାର ନ୍ୟାଯ୍ୟ ସ୍ବାର୍ଥ ସହ ଖେଳ ଖେଳି ଆସୁଥିବା ଛତିଶଗଡ଼ର ଆଉ ଏକ ଚାଲ୍ ଧରାପଡ଼ିଛି । ହୀରାକୁଦ ଜଳଭଣ୍ଡାରର ଗଭୀରତା କାମ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସେ ସହଯୋଗ କରିନାହିଁ । ମାପ ସରିଥିଲେ ହୁଏତ କଲମା ବ୍ୟାରେଜ୍ ସହିତ ବିଭିନ୍ନ ସମୟରେ ଏହି ପଡ଼ୋଶୀ ରାଜ୍ୟ ଦେଉଥିବା ତଥ୍ୟ ଧରାପଡ଼ିଥା’ନ୍ତା । ବୋଧହୁଏ ତାହାକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳରେ ସର୍ବେକ୍ଷଣ କାର୍ଯ୍ୟ ପାଇଁ ଅନୁମତି ଦେଇନାହିଁ । ଫଳରେ, ଗଭୀରତା ମପା କାମ ଅଧାରୁ ବନ୍ଦ ରହିଛି ।
ମହାନଦୀରେ ଛତିଶଗଡ଼ ସରକାର ଚେକ୍ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ହ୍ରାସ ପାଉଛି । ଏପଟେ ପଟୁ ମାଟି ଯୋଗୁ ହୀରାକୁଦ ଜଳଭଣ୍ଡାର ପୋତି ହେବାରେ ଲାଗିଛି । ଜଳଭଣ୍ଡାରରେ କେତେ ପାଣି ରହୁଛି ଏବଂ କେତେ ପରିମାଣର ପଟୁମାଟି ପୋତି ହୋଇଛି, ତାହା ଜାଣିବା ନିମନ୍ତେ ବିଭିନ୍ନ ସମୟରେ ହୋଇଥିବା ସର୍ବେକ୍ଷଣରେ ଭିନ୍ନ ଭିନ୍ନ ତଥ୍ୟ ଆସିଛି । ଏଭଳି ସ୍ଥିତିରେ ହୀରାକୁଦର ଜଳଧାରଣ କ୍ଷମତା ଓ ପଟୁମାଟିର ପରିମାଣ ଜାଣିବା ନିମନ୍ତେ ଟ୍ରିବ୍ୟୁନାଲଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର ବାଥ୍ମେଟ୍ରିକ ସର୍ବେକ୍ଷଣ ପାଇଁ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି, ତାହା ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ଦ୍ବାରା ସ୍ପଷ୍ଟ ଚିତ୍ର ମିଳିବା ନେଇ ଓଡ଼ିଶା ସରକାର ଆଶା ରଖିଥିଲେ । ଏଥିପାଇଁ ଗତବର୍ଷ ଅର୍ଥାତ୍ ୨୦୨୧ ମସିହାରେ ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ (ବାଥ୍ମେଟ୍ରିକ ସର୍ଭେ) ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା । ସିଏଟ୍ ଇଂଜିନିୟରିଂ ନାମକ ଏକ ସଂସ୍ଥାକୁ ଏହି ଟେଣ୍ଡର ମିଳିଥିଲା । ବୈଜ୍ଞାନିକ ପଦ୍ଧତିରେ ହୀରାକୁଦ ଜଳଣ୍ଡାରର ଗଭୀରତା ମାପ ପାଇଁ ସିଏଟ୍ ଇଂଜିନିୟରିଂ ମଧ୍ୟ ବେଶ୍ ତତ୍ପରତା ଦେଖାଇଥିଲା । ଗଭୀରତା ଜାଣିବା ପାଇଁ ଜଳଭଣ୍ଡାରର ଉଭୟ ତଳ ମୁଣ୍ଡ ଓ ଉପର ମୁଣ୍ଡରେ ଗ୍ରିଡିଂ କରି ମହାନଦୀ ଶଯ୍ୟାରୁ ମାପ ନେବାସହିତ ଜଳଭଣ୍ଡାରର ଭିତରେ ଏହା ମାପନେବାର ଯୋଜନା ରହିଥିଲା । ସିଏଟ୍ ଇଂଜିନିୟରିଂ ପକ୍ଷରୁ ଏଥିପାଇଁ ଜିପିଏସ୍ ବ୍ୟବହାର କରାଯାଇଥିଲା । ପ୍ରଥମେ ଜଳଭଣ୍ଡାର ତଳ ମୁଣ୍ଡରେ ମହାନଦୀ ଶଯ୍ୟାରେ ଗ୍ରିଡିଂ କରି ମାପ ନିଆଯାଇଥିଲା ।
ଦ୍ବିତୀୟ ପର୍ଯ୍ୟାୟରେ ଏହି ସଂସ୍ଥାର ବୈଷୟିକ ବିଶେଷଜ୍ଞମାନେ ବୋଟ୍ରେ ବସି ଏକ ଅତ୍ୟାଧୁନିକ ଯନ୍ତ୍ର ସହାୟତାରେ ଜଳଭଣ୍ଡାରର ବିଭିନ୍ନ ଅଂଚଳରେ ଗଭୀରତା ମାପିଥିଲେ । ସଂପୃକ୍ତ ଯନ୍ତ୍ର ଜଳଭଣ୍ଡାର ପାଣି ଭିତର ଦେଇ ପ୍ରବେଶ କରି ମାଟିକୁ ଛୁଇଁଲା ପରେ ନିର୍ଦ୍ଦିଷ୍ଟ ପ୍ରକାର ଶବ୍ଦ କରିଥାଏ । ଏହା ଦ୍ବାରା ସେମାନେ ସଂପୃକ୍ତ ସ୍ଥାନରେ ଜଳଭଣ୍ଡାରର ଗଭୀରତା କେତେ ଫୁଟ ରହିଛି, ତାହା ଆକଳନ କରୁଥିଲେ । ଜଳଭଣ୍ଡାର ଭିତର ମାପ ସରିବାପରେ ଉପର ମୁଣ୍ଡରେ ମାପ ନେବା କାମ ଆରମ୍ଭ ହୋଇଥିଲା । ମାତ୍ର ଛତିଶଗଡ଼ ସରକାର ନିଜ ଅଂଚଳର ମହାନଦୀ ଶଯ୍ୟା ମାପ ନେବାପାଇଁ ଅନୁମତି ଦେଇନଥିଲେ । ନିଜ ଅଂଚଳରେ ସର୍ବେକ୍ଷଣ କାମକୁ ବନ୍ଦ କରିଦେଇଥିଲେ ।
ଏହା ପଛରେ ଏହି ପଡ଼ୋଶୀ ରାଜ୍ୟର ଏକ ଚାଲ୍ ଥିବା ଅନୁମାନ କରାଯାଉଛି । କାରଣ, ଗଭୀରତା ମାପ ପାଇଁ ଅନୁମତି ଦେଇଥିଲେ କଲ୍ମା ବ୍ୟାରେଜର ଗଭୀରତା ସାଙ୍ଗକୁ ସେଠାରେ କେତେ ପାଣି ରହୁଛି, ତାହା ବି ଜଣାପଡ଼ିଯାଇଥା’ନ୍ତା । ଛତିଶଗଡ଼ ସରକାର ବିଭିନ୍ନ ସମୟରେ ଯେଉଁ ତଥ୍ୟ ଦେଉଛନ୍ତି, ତାହାର ସତ୍ୟତା ବି ଜଣାପଡ଼ିଯାଇଥାନ୍ତା । ଏଥି ସହିତ ମହାନଦୀ ସଂପର୍କିତ ତଥ୍ୟକୁ ନେଇ ଛତିଶଗଡ଼ ସରକାରଙ୍କ ମିଛ ବି ଧରାପଡ଼ିଯାଇଥାନ୍ତା । ସମ୍ଭବତଃ, ଏଭଳି କିଛି ଆଶଙ୍କା କରି ଛତିଶଗଡ଼ ସରକାର ଗଭୀରତା ମାପ ପାଇଁ ଅନୁମତି ଦେଇନଥିବା କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ୧୯୮୬ ମସିହାରେ ପାରମ୍ପରିକ ରୀତିରେ ଏବଂ ପରବର୍ତ୍ତୀ ସମୟରେ କିନ୍ତୁ ଉପଗ୍ରହ ଚିତ୍ର ଜରିଆରେ ସବେର୍କ୍ଷଣ କରାଯାଇଛି । ୧୯୮୬ ମସିହାର ରିପୋର୍ଟରେ ଲାଇଭ୍ ଷ୍ଟୋରେଜ ୧୨.୬୧୫ ପ୍ରତିଶତ ଓ ଡେଡ୍ ଷ୍ଟୋରେଜର ୩୩.୨୯୨ ପ୍ରତିଶତ ଏଭଳି ସର୍ବମୋଟ ୧୮.୩୮୬ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦଶାର୍ଯାଇଛି । ୧୯୮୮ ମସିହାରେ ରିମୋଟ୍ ସେନ୍ସିଂ ଜରିଆରେ ହୋଇଥିବା ସର୍ବେକ୍ଷଣରେ ଲାଇଭ୍ ଷ୍ଟୋରେଜର ୨୪.୧୦ ପ୍ରତିଶତ ଏବଂ ୧୯୯୫ ମସିହାରେ ଲାଇଭ୍ ଷ୍ଟୋରେଜର ୨୪.୧୮ ପ୍ରତିଶତ ପଟୁ ମାଟି ଜମି ରହିଥିବା ଦର୍ଶାଯାଇଛି । ୨୦୦୭ ମସିହାର ସର୍ବେକ୍ଷଣରେ ଲାଇଭ୍ ଷ୍ଟୋରେଜର ୧୧.୭୯ ପ୍ରତିଶତ ଏବଂ ଡେଡ୍ ଷ୍ଟୋରେଜର ୬୫.୬୮ ପ୍ରତିଶତ ଏଭଳି ହାରାହାରି ୨୬.୮୩ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ପ୍ରାୟ ୩ ବର୍ଷ ତଳେ ହାଇଦ୍ରାବାଦର ନ୍ୟାସ୍ନାଲ ରିମୋର୍ଟ ସେନ୍ସିଂ ଅଥରିଟି (ଏନ୍ଆର୍ଏସ୍ଏ) ପକ୍ଷରୁ ୨୦୧୫ ମସିହା ସୁଦ୍ଧା ପୋତି ହୋଇଥିବା ପଟୁମାଟି ସଂକ୍ରାନ୍ତରେ ଜାଣିବା ପାଇଁ ଉପଗ୍ରହ ଚିତ୍ର ଜରିଆରେ ସର୍ବେକ୍ଷଣ କରାଯାଇଥିଲା । ଏହି ରିପୋର୍ଟରେ ଲାଇଭ୍ ଷ୍ଟୋରେଜର ୧୭ ପ୍ରତିଶତ ଏବଂ ଡେଡ୍ ଷ୍ଟୋରେଜର ୫୩ ପ୍ରତିଶତ ଅର୍ଥାତ ହାରାହାରି ୨୭ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିବା କହାଯାଉଛି ।
