ବ୍ୟବସାୟୀଙ୍କୁ ମାଡମାରି ୮୫ ହଜାର ଟଙ୍କା ଲୁଟ

ଧାମରା : ପରିବା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବା ବ୍ୟବସାୟୀଙ୍କୁ ମାଡମାରି ୮୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟ ହେବାର ୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଦୋଷୀ ଗିରଫ ହୋଇ ନାହାଁନ୍ତି ।ଅନ୍ୟ ପକ୍ଷରେ ମାଡ ଖାଇ ନିଜର ବେପାର ବନ୍ଦ କରିଦେଇଥିବା ବ୍ୟବସାୟୀ ମେଡିକାଲରେ ।

ଖବରରୁ ପ୍ରକାଶ ଧାମରାରେ ପରିବା ବ୍ୟବସାୟ କରୁଥିବା ପ୍ରେମାନନ୍ଦ ଗୁଡିଆ ସବୁଦିନ ଭଳି ଗୁରବାର ଭୋର ୪ଟା ସମୟରେ ପରିବା ଆଣିବା ପାଇଁ ବାସୁଦେବପୁରକୁ ଯାଉଥିଲେ । ବାସୁଦେବପୁର ନିକଟସ୍ଥ ମନ୍ଦାରୀ ପୋଲ ନିକଟରେ ରାସ୍ତା ଖରାପ ଥିବାରୁ ସେ ନିଜର ଗାଡିର ଗତିକୁ ହ୍ରାସ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୫ ଜଣ ଲୋକ ଆସି ଗାଡି ଆଗରେ ଠିଆ ହୋଇ ଗାଡିକୁ ଅଟକାଇବା ସହ ଗାଡିର ଚାଳକ ତଥା ମାଲିକ ପ୍ରେମାନନ୍ଦକୁ ଏକ ପ୍ଲାଷ୍ଟିକ ପାଇପରେ ମାଡ ମାରିଥିଲେ । ମାଡ ଯନ୍ତ୍ରଣାରେ ତଳେ ପଡି ଛଟପଟ ହେଉଥିବା ବେଳେ ସଂପୃକ୍ତ ଯୁବକମାନେ ପ୍ରେମାନନ୍ଦଙ୍କ ପକେଟରୁ ୮୫ ହଜାର ଟଙ୍କା ଛଡାଇ ନେବା ସହ ତାଙ୍କର ମୋବାଇଲକୁ ମଧ୍ୟ ବିଲ ମଝିକୁ ଫିଙ୍ଗି ଦେଇ ନିକଟସ୍ଥ ଏକ ଘରକୁ ପଳାଇଥିଲେ ।

ପିକଅପ ଭ୍ୟାନରେ ଉପସ୍ଥିତ ଥିବା ଗାଡିର ହେଲପର ସପନ ଅନ୍ୟ ଉପାୟ ନପାଇ ପ୍ରେମାନନ୍ଦକୁ ନେଇ ପ୍ରଥମେ ବାସୁଦେବପୁର ମେଡିକାଲକୁ ଯାଇ ଚିକିତ୍ସିତ ହେବା ପରେ ବାସୁଦେବପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଥାନାଧିକାରୀ ଘଟଣାସ୍ଥଳକୁ ଆସିଥିଲେ ମାତ୍ର ସେହି ସ୍ଥାନଟି ଚୁଡାମଣୀ ମେରାଇନ ଥାନା ଅଧିନରେ ଆସୁଥିବାରୁ, ଚୁଡାମଣୀ ମେରାଇନ ଥାନାକୁ ଯାଇ ଅଭିଯୋଗ କରିବାକୁ କହିଥିଲେ । ପରେ ପ୍ରେମାନନ୍ଦ ଚୁଡାମଣୀ ମେରାଇନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ଥାନ।ଧିକାରିଣୀ ଆସି ଘଟଣାସ୍ଥଳରେ ପହଂଚି ସରଜମିନ ତଦନ୍ତ କରିଥିଲେ । ପ୍ରେମାନନ୍ଦ ଦେଖାଇଥିବା ଘରେ ଜଣେ ଦୋଷୀ ଉପସ୍ଥିତ ଥିବାବେଳେ ପୁଲିସକୁ ଦେଖି ଦୌଡି ପଳାଇଯାଇଥିଲା ।

ଏ ନେଇ ଚୁଡାମଣୀ ଥାନାରେ ୫୦/୨୦ ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ପକ୍ଷରେ ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତାରୁ ସକାଳ ସମୟରେ ଏହିପରି ଲୁଟତରାଜ ହେଉଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଭାଳେଣି ପଡିଯାଇଥିବା ବେଳେ ଧାମରା ଅଂଚଳର ବ୍ୟବସାୟୀ ମଧ୍ୟ ପ୍ରମାଦ ଗଣିଲେଣି । ଆଗାମୀ ଦିନରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଲୁଟ ହୋଇଥିବା ଟଙ୍କା ଉଦ୍ଧାର କରିବାକୁ ମେଡିକାଲରେ ମାଡ ଖାଇ ଏବଂ ଟଙ୍କା ହରାଇଥିବା ପରିବା ବ୍ୟବସାୟୀ ପ୍ରେମାନନ୍ଦ ପୁଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *