ଯାଜପୁର : ଜିଲାପାଳ ଚକ୍ରୱର୍ତ୍ତୀ ସିଂ ରାଠୋରଙ୍କ ଆଦେଶ ଅନୁଯାୟୀ ମଙ୍ଗଳବାର ଯାଜପୁର ତହସିଲଦାର ପୂର୍ବତନ ବରିଷ୍ଠ ରାଜସ୍ବ ସହାୟକ ତଥା ନାଜିର ରଜତ କୁମାର ରାଉତରାୟଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଶ୍ରୀ ରାଉତରାୟଙ୍କ ବିରୋଧରେ ୨୦୧୮ ମସିହାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ହେଁ ସେ ଏହାକୁ ଏଡାଇ ଚାଲିଥିଲେ । ଦୋଷୀ କର୍ମଚାରୀଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ପର୍ଯ୍ୟାସ୍ତ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ହାଜିର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ସମସ୍ତ ତଥ୍ୟ ପର୍ଯ୍ୟାଲୋଚନା କରାଯାଇ ଜିଲାପାଳ ଓ ଶୃଙ୍ଖଳା ଅଧିକାରୀ ଏହି ବହିଷ୍କାର ଆଦେଶ ପ୍ରଦାନ କରିଛନ୍ତି । ତା’ଛଡା ଶ୍ରୀ ରାଉତରାୟ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେବେ ବୋଲି ଜଣାପଡ଼ିଛି ।
୨୦୧୬ ଏପ୍ରିଲ ମାସରେ ଯାଜପୁର ତହସିଲ କାର୍ଯ୍ୟାଳୟରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଡିଟ ରିପୋର୍ଟରୁ ଜଣାପଡ଼ିଥିଲା । ୨୦୦୬ ଏପ୍ରିଲ ରୁ ୨୦୧୬ ଏପ୍ରିଲ ୫ ତାରିଖ ମଧ୍ୟରେ ଯାଜପୁର ତହସିଲରେ ୪ କୋଟି ୯୪ ଲକ୍ଷ ୪୪ ହଜାର ୮୨୬ ଟଙ୍କାର ଦୁର୍ନୀତି ହୋଇଥିବା ଘଟଣା ଜଣାପଡ଼ିଥିଲା । ଜିଲା ପ୍ରଶାସନ ଏହି ଘଟଣାରେ ୩ ଜଣ ନାଜିରଙ୍କୁ ନିଲମ୍ବିତ କରିବା ସହ ୭ ଜଣ ତହସିଲଦାର ଓ ୯ ଜଣ ବରିଷ୍ଠ କିରାଣୀଙ୍କୁ ଏଥିନେଇ କୈଫତ ତଲବ କରିଥିଲା । ହେଲେ ଉପର ମହଲାରୁ ଚାପ ପଡିବା ପରେ ଜିଲା ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍ଚାପ ବସି ରହିଥିଲା । ଫଳରେ ଯାଜପୁର ଭିଜିଲାନ୍ସ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରି ଏକ ମାମଲା ରୁଜୁ କରିଥିଲା । ମୁଖ୍ୟତଃ ୨୦୧୬- ୧୭ ଆର୍ଥୀକ ବର୍ଷରେ ହୋଇଥିବା ଦୁର୍ନୀତିରେ ଯାଜପୁର ତହସିଲ୍ର ପୂର୍ବତନ ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ଓ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ପରିସର ଭୁକ୍ତ କରାଯାଇଥିଲା । କିନ୍ତୁ ନାଜିର ଶ୍ରୀ ରାଉତରାୟ ଫେରାର ଥିବାରୁ ଏହି ତଦନ୍ତ ପ୍ରକ୍ରିୟା ଆଗକୁ ବଢିପାରିନଥିଲା ।
ଅନ୍ୟ ପକ୍ଷରେ ପୂର୍ବ ବର୍ଷ ଗୁଡ଼ିକରେ ହେଇଥିବା ଦୁର୍ନୀତି ସଂକ୍ରାନ୍ତ କାଗଜପତ୍ର ପାଇବା ପାଇଁ ଯାଜପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନକୁ ଚିଠି ଦ୍ବାରା ଅବଗତ କରାଯାଇଥିଲେ ମଧ୍ୟ ଏହାର ଉତ୍ତର ମିଳିନଥିଲା । ଫଳରେ ଭିଜିଲାନ୍ସ ବିଭାଗର ତଦନ୍ତ ଏକରକମ ଅଟକି ରହିଯାଇଥିଲା । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଓଡ଼ିଶା ଲୋକୟୂକ୍ତଙ୍କ ଇଜିଲାସରେ ଏକ ମାମଲା ରୁଜୁ ହେବାପରେ ଯାଜପୁର ଭିଜିଲାନ୍ସ ବିଭାଗର ଡିଏସ୍ପିଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ସହ ତଦନ୍ତର ଗତିବିଧି ସଂପର୍କରେ ସୂଚନା ଦେବାକୁ ନିର୍ଦେଶ ଦିଆଯାଇଥିଲା । ତା’ ଛଡା ଏହି ମାମଲାର ରିପୋର୍ଟ ୩ ମାସ ମଧ୍ୟରେ ଦଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ଏଥିନେଇ ୩ଟି ମାମଲା ରୁଜୁ କରାଯିବା ସହ ଏହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ହେଲେ ଏହି ରିପୋର୍ଟ ବର୍ଷବର୍ଷ ଧରି ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହି ଯାଇଛି ।
