ବାଲେଶ୍ବର : ଜଳେଶ୍ବର ବ୍ଲକ୍ ଅଧୀନ ଖାଲିନା ସରକାରୀ ହାଇସ୍କୁଲ୍ ୫-ଟି ସ୍କୁଲ୍ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଶ୍ରେଣୀ ଅଭାବରୁ ଟେଣ୍ଟ ତଳେ ପାଠପଢ଼ା ଯାଉଥିବା ଖବର ପ୍ରକାଶିତ ହେବା ପରେ ପ୍ରଶାସନର ଚେତା ପଶିଛି । ଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଓ ଜଳେଶ୍ବର ବିଡିଓ ମିଳିତ ଭାବେ ସମ୍ପୃକ୍ତ ସ୍କୁଲକୁ ଆସି ସ୍କୁଲ୍ର ବିଭିନ୍ନ ଅସୁବିଧା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍କୁଲ୍ ପରିଚାଳନା କମିଟି, ମୋ ସ୍କୁଲ୍ ଅଭିଯାନର ସଦସ୍ୟ ଓ ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।
ଏହି ଟିମ୍ରେ ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସ, ମୋ ସ୍କୁଲ୍ ଅଭିଯାନର ଜିଲ୍ଲା ସଂଯୋଜକ ସନ୍ଦୀପ ଖଟୁଆ, ଏଡିଓ ଧରଣୀଧର ନାୟକ, ଜଳେଶ୍ବର ବିଇଓ ଭାଗୀରଥ ଗିରିଙ୍କ ସମେତ ଶିକ୍ଷା ବିଭାଗର ବହୁ ପଦାଧିକାରୀ ସାମିଲ ଥିଲେ । ସେହିପରି ଏସ୍ଏମ୍ସି ସଭାପତି ସଂଗ୍ରାମ କେଶରୀ ପାଠୀ, ପୁରାତନ ଛାତ୍ରସଂସଦ ସଭାପତି ବୁଦ୍ଧଦେବ ଦେ, ଅଶୋକ ଦାସ, ବିଜୟ ଜେନା, ମାନା ପାତ୍ର ପ୍ରମୁଖ ଉପସ୍ଥିତ ହୋଇ ସ୍କୁଲ୍ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ସେହିପରି ଟେଣ୍ଟ ତଳେ ପାଠପଢ଼ା ନେଇ ଏହି ଟିମ୍ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଥିଲେ । ସ୍କୁଲ୍ରେ ଯେତିକି କୋଠରୀ ରହିଛି ତାରି ଭିତରେ ପାଠପଢ଼ା ବ୍ୟବସ୍ଥା କରିବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
