ସଂକଟରେ ‘ଓସୁ’, ଶୈଶବରୁ ନେବ କବର !

ସମ୍ବଲପୁର : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ)ର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ସ୍ଥାପନାର ୬ ବର୍ଷ ପରେ ବି ସରକାର ଏହି ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ ବି ଶିକ୍ଷକ ବା ଅଣଶିକ୍ଷକ ପଦ ମଞ୍ଜୁର କରି ନଥିବାରୁ ଏଥିପ୍ରତି ବିପଦ ସୃ‌ଷ୍ଟି ହୋଇଛି । ବିଶ୍ବବିଦ୍ୟାଳୟର ‌ପାଠ୍ୟକ୍ରମ ଗୁଡ଼ିକରୁ ଆଗାମୀ ଦିନରେ ୟୁଜିସି ମଞ୍ଜୁରି ପ୍ରତ୍ୟାହାର କରି ନେବାର ଆଶଂକା ସୃଷ୍ଟି ହୋଇଛି । ଏହା ହେଲେ ପାଠ୍ୟକ୍ରମ ଗୁଡ଼ିକ ବନ୍ଦ ହୋଇଯିବା ସହ ଆପଣା ଛାଏଁ ବିଶ୍ବବିଦ୍ୟାଳୟରେ ବି ତାଲା ଝୁଲିବ । ଏକ ଦୁର୍ବଳ ମୁହୂର୍ତ୍ତରେ ବାଧ୍ୟବାଧକତାରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ପରୋକ୍ଷରେ ସାଧିତ ହୋଇଯିବ ।

ଏଥିସହ ସମ୍ବଲପୁରରୁ ପରିଚାଳିତ ହେଉଥିବା ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ଶୈଶବରେ ହିଁ କବର ନେବ ବୋଲି ବୁଦ୍ଧିଜୀବୀମାନେ ଆଶଂକା ବ୍ୟକ୍ତ କରିଛନ୍ତି । ତେଣୁ ବିଶ୍ବବିଦ୍ୟାଳୟକୁ ବଞ୍ଚାଇ ରଖିବା ପାଇଁ ତୁରନ୍ତ ଏଥିରେ ସର୍ବନିମ୍ନ ସଂଖ୍ୟକ ନିୟମିତ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦେବା ତଥା କୌଣସି ପାଠ୍ୟକ୍ରମ ବନ୍ଦ ନ କରିବାକୁ ସେମାନେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଦାବି କରିଛନ୍ତି ।

ସମ୍ବଲପୁର ଡେଭ୍‌ଲପ୍‌ମେଣ୍ଟ‌ ଫୋରମ୍‌ର ସଭାପତି ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ଯୁଗ୍ମସଭାପତି ତଥା ବିଶିଷ୍ଟ ବୁଦ୍ଧିଜୀବୀ ପ୍ର. ଶଂକର ପ୍ରସାଦ ପତି ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁରରେ ମୁଖ୍ୟାଳୟ ଥିବା ୨୦୧୪ ରେ ସୃଷ୍ଟ ଓସୁ ବିଗତ ୬ ବର୍ଷ ଭିତରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ୨୦୧୭ ରେ ୨୬୨ ଓ ୨୦୧୮ ରେ ୪୮୨୨ ଜଣ ପଞ୍ଜୀକରଣ କରିଥିବା ଓସୁର ବିଦ୍ୟାର୍ଥୀ ସଂଖ୍ୟା ୨୦୨୧ ରେ ୪୦ ହଜାର ଟପିଛି । ରାଜ୍ୟର ଅନ୍ୟ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର ମୋଟ ବିଦ୍ୟାର୍ଥୀ ସଂଖ୍ୟାଠାରୁ ମଧ୍ୟରେ ଏହା ଅଧିକ। ଓସୁର ଗୋଟିଏ ଗୋଟିଏ ବିଷୟର ବିଦ୍ୟାର୍ଥୀ ସଂଖ୍ୟା ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟ ମାନଙ୍କ ମୋଟ ବିଦ୍ୟାର୍ଥୀ ସଂଖ୍ୟା ଠାରୁ ଅଧିକ ହେଲାଣି ।

କିନ୍ତୁ ବିଡ଼ମ୍ବନାର ବିଷୟ ଯେ ରାଜ୍ୟର ଅନ୍ୟ ୧୨ଟି ସରକାରୀ ବିଶ୍ବବିଦ୍ୟାଳୟକୁ ସରକାର ବାର୍ଷିକ ୧୦୦ କୋଟି ଟଙ୍କା ଲେଖାଏଁ ଅନୁଦାନ ଦେଉଥିବା ବେଳେ, ମୁକ୍ତ ବିଶ୍ବବିଦ୍ୟାଳୟକୁ ମାତ୍ର ୧ କୋଟି ଦେଉଛନ୍ତି । ଗୋଟିଏ ବି ଶିକ୍ଷକ ବା ଅଣଶିକ୍ଷକ ପଦ ସୃଷ୍ଟି କରାଯାଇ ନାହିଁ କି ନିଯୁକ୍ତି ଦିଆଯାଇ ନାହିଁ । ଯେଉଁ କିଛି ଅସ୍ଥାୟୀ ଶୈକ୍ଷିକ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ନିୟମିତ ଅଧ୍ୟାପକ ଭାବେ ଗଣନା କରାଯିବ ନାହିଁ । ସରକାର ବିଶ୍ବବିଦ୍ୟାଳୟକୁ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ନିମନ୍ତେ ଜମି ଦେଇଥିଲେ ବି ତା’ପାଇଁ ଅନୁଦାନ ମିଳିବା ନେଇ ଆଶଂକା ସୃଷ୍ଟି ହୋଇଛି । ତେଣୁ ଏହି ବିଶ୍ବବିଦ୍ୟାଳୟର ଅସ୍ଥିତ୍ବ ବିପନ୍ନ ହୋଇଛି ବୋଲି ପ୍ର. ପତି ଏବଂ ପ୍ର. ପାଢ଼ୀ ଉଲ୍ଲେଖ କରିଛନ୍ତି ।

ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ସେମାନେ ୧୪ଟି ପିଜି  ଓ ୧୧ଟି ୟୁଜି ପାଠ୍ୟକ୍ରମକୁ ଜାରି ରଖିବା, ଚାହିଦା ଅନୁଯାୟୀ ଆହୁରି ନୂଆ ପାଠ୍ୟକ୍ରମ ଖୋଲିବାକୁ ଦାବି କରିଛନ୍ତି । ସେହିପରି ସରକାର ୟୁଜିସି ନିୟମ ଅନୁଯାୟୀ ପ୍ରତି ପ୍ରାଥମିକତା ଭିତ୍ତିରେ ପିଜି ପାଠ୍ୟକ୍ରମ ପାଇଁ ୫ ଓ ୟୁଜି ପାଇଁ ୩ ଜଣ ଲେଖାଏଁ ଅଧ୍ୟାପକ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ସେମାନେ କରିଥିବା ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ଓସୁ ପାଇଁ ବାର୍ଷିକ ସରକାରୀ ଅନୁଦାନ ଅନ୍ୟୁନ୍ୟ ୮ କୋଟିକୁ ବୃଦ୍ଧି କରିବା, ଅତିରିକ୍ତ ୧୦୦ ଏକର ଜମି ପ୍ରଦାନ କରିବା, ନୂଆ କ୍ୟାମ୍ପସ୍‌ ନିର୍ମାଣ ପାଇଁ ୨୫ କୋଟି ଟଙ୍କାର ବିଲ୍‌ଡିଂ ଗ୍ରାଣ୍ଟ ପ୍ରଦାନ କରିବା, ଡିଜିଟାଲ୍ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ଅତିରିକ୍ତ ୧ କୋଟି ଟଙ୍କା ପ୍ରଦାନ କରିବା, ରାଜ୍ୟର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟ ସହ ଏହାକୁ ସମାନ ମାନ୍ୟତା ଦେବା, କିଛି ସେଲ୍‌ଫ ଫାଇନାନ୍‌ସିଂ ପାଠ୍ୟକ୍ରମ ପ୍ରଚଳନ ପାଇଁ ବିଶ୍ବବିଦ୍ୟାଳୟକୁ ଅନୁମତି ଦେବା, ଦକ୍ଷତା ବିକାଶ ତାଲିମ ପାଇଁ ପ୍ରଯୁଜ୍ୟ ସାର୍ଟିଫିକେଟ୍ କୋର୍ସ ପ୍ରଚଳନ ପାଇଁ ଅନୁମତି ପ୍ରଦାନ କରିବା ପ୍ରମୁଖ ।

Leave a Reply

Your email address will not be published. Required fields are marked *