ଭୋଟ୍‌ ପାଇଁ ଟଙ୍କା ନ ନେବାରୁ ଆକ୍ରମଣ : କେନ୍ଦୁଝରରେ ଗୋଟିଏ ପରିବାରର ୪ ଆହତ

କେନ୍ଦୁଝର : ପ୍ରଚାର ସରିଲା । ପୌର ନିର୍ବାଚନ ପାଇଁ ଦିନକ ପରେ ଭୋଟ ପଡ଼ିବାକୁ ଥିବାବେଳେ କେନ୍ଦୁଝର ସହରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେଡି କର୍ମୀମାନେ ଟଙ୍କା ବାଣ୍ଟୁଥିବା ବେଳେ ଟଙ୍କା ନ ନେବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି । ଏହାର ପ୍ରତିବାଦରେ ବିଜେପି ନେତାମାନେ କେନ୍ଦୁଝର ଟାଉନ ଥାନା ଘେରାଉ କରିବା ସହ ଧାରଣାରେ ବସିଥିଲେ ।

ବିଜେପି ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ଆଜି ରାତି ପ୍ରାୟ ୯ଟା ବେଳେ କେନ୍ଦୁଝର ସହରର ୪ ନମ୍ବର ୱାର୍ଡ ଆଟୋପୁର ବେହେରାସାହିରେ ବିଜେଡି କର୍ମୀମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ । ବିଜେପିକୁ ସମର୍ଥନ କରୁଥିବା ଗୋଟିଏ ପରିବାର ଟଙ୍କା ନେବାକୁ ମନା କରିବାରୁ ବିଜେଡି କର୍ମୀମାନେ ସମ୍ପୃକ୍ତ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଜୁଲି ବେହେରା, ପୁଅ ରାକେଶ ବେହେରା, ଝିଅ ମୀନ ବେହେରା ଓ ଶ୍ରୁତି ବେହେରା ଆହତ ହୋଇଛନ୍ତି । ଜୁଲିଙ୍କ ମୁଣ୍ଡ ଫାଟିଯାଇଛି । ଏନେଇ ପରିବାର ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟିବା ଏବଂ ଟଙ୍କା ନେବାକୁ ମନା କରିବାରୁ ଆକ୍ରମଣ ଘଟଣାକୁ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି । ଆକ୍ରମଣକାରୀଙ୍କ ବି‌ରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତାମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *