ପେଟ ପାଇଁ ପୂର୍ବତନ ସୈନିକଙ୍କ ଭିକ୍ଷାବୃତ୍ତି, ବାଂଲାଦେଶ ବିଭାଜନ ବେଳେ ମୁକ୍ତିଫୌଜରେ ଭର୍ତ୍ତି ହୋଇଥିଲେ

ବାଲେଶ୍ବର : ପାଠପଢ଼ି ନିଜ ଭବିଷ୍ୟତ ଗଢ଼ିବା ବୟସରେ ଦେଶ ପାଇଁ ସୈନିକ ସାଜିଲେ । ଜୀବନକୁ ବାଜି ଲଗାଇ ସୀମାରେ ଶତ୍ରୁଦେଶ ସହ ଲଢ଼େଇ ବି କଲେ । ହେଲେ ଦୁର୍ଭାଗ୍ୟ, ଏବେ ପରିଣତ ବୟସରେ ଦୁଇଓଳି ଖାଦ୍ୟ ପାଇଁ ତାଙ୍କୁ ରାଜରାସ୍ତାରେ ଭିକ ମାଗିବାକୁ ପଡ଼ୁଛି । ବାଲେଶ୍ବର ଷ୍ଟେସନ୍‌ ସମ୍ମୁଖ ରାସ୍ତାର ଫୁଟ୍‌ପାଥ୍‌ ଓ ରୋଡ୍‌ ଡିଭାଇଡର୍‌ରେ ଅନେକ ବାସହରା ମୁଣ୍ଡ ଗୁଞ୍ଜିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଲକରାମ ମାରାଣ୍ଡି (୭୦) ।

୧୯୭୧ ମସିହା ବାଂଲାଦେଶ ବିଭାଜନ ବେଳେ ଭାରତୀୟ ମୁକ୍ତିସେନାରେ ଯୋଗଦେଇ ସେ ଦେଶ ପାଇଁ ଲଢ଼େଇ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ତକତପୁରରେ ବାଲକରାମଙ୍କ ଜନ୍ମ । ବାଲକରାମଙ୍କ କହିବା‌ ଅନୁସାରେ, ୧୯୬୮ ମସିହାରେ ସେ ମାଟ୍ରିକ ପାସ୍‌ କରି ବାରିପଦା କଚେରୀ ସାମ୍‌ନାସ୍ଥିତ ଏକ କଲେଜରେ ପଢ଼ିବା ବେଳେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ରେ ପ୍ରଶିକ୍ଷ‌ଣ ନେଉଥିଲେ । ୧୯୭୧ ମସିହା ବାଂଲାଦେଶ ଯୁଦ୍ଧବେଳେ ତାଙ୍କୁ ମୁକ୍ତି ଫୌଜ୍‌ରେ ସାମିଲ ହେବାକୁ ଡାକରା ଆସିଲା । ତାଙ୍କ ସହ ଓଡ଼ିଶାର ୧୩ଟି ଜିଲ୍ଲାରୁ ୧୩ ଜଣ ଯୁବକ ମୁକ୍ତି ଫୌଜରେ ଯୋଗ ଦେଇଥିଲେ । ସେତେବେଳେ ସେମାନଙ୍କୁ ମାସକୁ ୧୩ ହଜାର ଟଙ୍କା ଲେଖା ଦରମା ମିଳୁଥିଲା । ୧୯୭୭ ମସିହାରେ ଚାକିରିରୁ ଅବସର ମିଳିଲା । ଘରକୁ ଫେରି ସେ ବିବାହ କଲେ । ଏହା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ଭେଟି ପାରାଦୀପ ବନ୍ଦରରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ପାଇଲେ । ହେଲେ ସେଠାରେ କମ୍‌ ଦରମା ମିଳିବାରୁ ଯୋଡ଼ା-ବଡ଼ବିଲରେ ଖଣି ସୁରକ୍ଷାକର୍ମୀ ଭାବେ ଚାକିରି କଲେ । ଥରେ ସେଠାକୁ ନନ୍ଦିନୀ ଶତପଥୀ, ବିଜୁ ପଟ୍ଟନାୟକ ଓ ଜାନକୀବଲ୍ଲଭ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ଯାଇଥିବାବେଳେ ସେମାନଙ୍କ ପାଇଁ ଖାଦ୍ୟ ବନାଇବାକୁ ବାଲକରାମଙ୍କୁ ଦାୟିତ୍ବ ଦିଆଯାଇଥିଲା । ଖାଦ୍ୟ ଖାଇବା ପରେ ବିଜୁ ପଟ୍ଟନାୟକ ତାଙ୍କୁ ଡାକି ‘ବେଷ୍ଟ କୁକ୍‌’ ବୋଲି ସମ୍ବୋଧନ କରିବା ସହ ୨୦୦ ଟଙ୍କା ଉପହାର ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଭାଗ୍ୟ ତାଙ୍କୁ ସାଥ୍‌ ଦେଲାନି ବୋଲି କୋହଭରା କଣ୍ଠରେ କହିଛନ୍ତି ବାଲକରାମ୍‌ ।

ପୁଅର ବାହାଘର ପରେ ପତ୍ନୀ ଓ ପିଲାଛୁଆଙ୍କୁ ଧରି ସେ ଚେନ୍ନାଇରେ ରହୁଛି । ଝିଅର ବାହାଘର ରାଇରଙ୍ଗପୁରରେ ଜଣେ ସରକାରୀ କର୍ମଚାରୀଙ୍କ ସହ ହୋଇଥିବାବେଳେ ସେମାନେ ମଧ୍ୟ କେବେ ତାଙ୍କର ଭଲମନ୍ଦ ଖବର ରଖିଲେ ନାହିଁ । ବାଲକରାମ ନିଜ ପେନସନ୍‌ ଟଙ୍କା ପତ୍ନୀଙ୍କ ନାମରେ କରିଦେଇଥିବା ବେଳେ ଝିଅ ସେ ଟଙ୍କାରେ ଭାଗ ବସାଇଲା । ପରେ ପରେ ପେନ୍‌ସନ୍‌ ଖାତା ନିଜ ଅଧୀନକୁ ବି ନେଇଗଲା ।

ଏ ସମ୍ପର୍କରେ ତତ୍କାଳୀନ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ସୈନିକ ବୋର୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ କିଛି ସୁଫଳ ମିଳିଲାନି । ବୟସ ଅଧିକ ହୋଇଯାଇଥିବାରୁ ଆଖିକୁ ଆଉ ଦିଶୁନାହିଁ କି ଗୋଡ଼ ଭାଙ୍ଗିଯାଇଥିବାରୁ ଠିକ୍‌ ଭାବେ ଚାଲିପାରୁନାହିଁ । ନିଜ ଜୀବନ ପ୍ରତି ବୀତସ୍ପୃହ ହୋଇ ଶେଷରେ ସବୁଦିନ ଲାଗି ଘରଛାଡ଼ି ପଳାଇ ଆସିଲି ବୋଲି କହିଥିଲେ ବାଲକରାମ୍‌ । କେହି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ ପୁଣିଥରେ ସେ ନିଜ ଗୋଡ଼ରେ ଠିଆ ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *