ପ୍ରହସନ ପାଲଟିଛି ଏମଜିଏନଆରଇଜିଏ ଯୋଜନା, ମଜୁରି ପାଉ ନାହାନ୍ତି ୧୮,୩୬୩ ଜବ୍ କାର୍ଡଧାରୀ

ସୂଚନାଯୋଗ୍ୟ ଯେ, ଜଳେଶ୍ବର ବ୍ଲକ୍‌ର ୩୫ଟି ପଞ୍ଚାୟତ ଅଧୀନରେ ୨୦୫ଟି ଗାଁ ଥିବାବେଳେ, ଏହିସବୁ ଗାଁରେ ଆଜି ସୁଦ୍ଧା ୩୫,୫୯୦ ପରିବାରକୁ ସରକାର କାମ ଯୋଗାଇବା ପାଇଁ ଜବ କାର୍ଡ ପ୍ରଦାନ କରିଛନ୍ତି । ଏହିସବୁ ଜବ୍‌କାର୍ଡ ଅଧୀନରେ ଲୋକସଂଖ୍ୟା ୮୧,୨୨୭ । ଉପରୋକ୍ତ ଜବ୍‌କାର୍ଡଧାରୀଙ୍କ ଉଦ୍ଦେଶ୍ୟରେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତରେ ଶହେରୁ ଊର୍ଦ୍ଧ୍ବ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା କୁହାଯାଇଛି । ଶହେ ପ୍ରକଳ୍ପ ପାଇଁ  ମାତ୍ର ୧୦୬୭୮ଟି ଜବକାର୍ଡ ଅଧୀନରେ ୧୮୩୬୩ ଜଣଙ୍କୁ କାମ ଯୋଗାଇ ଦିଆଯାଇଛି ।

ସେହି ଶ୍ରମିକଙ୍କ ପ୍ରାପ୍ୟ ବାବଦରେ ୭ କୋଟି ୧୧ ଲକ୍ଷ ୨୨ ହଜାର ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପ୍ରାପ୍ୟ ୨୩ ଲକ୍ଷ ୬୫ ହଜାର ଟଙ୍କା ଓ ନିର୍ମାଣ ସାମଗ୍ରୀ କିମ୍ବା ମାଲ ବାବଦରେ ୨ କୋଟି ୨୪ ଲକ୍ଷ ୭ ହଜାର ଟଙ୍କା ସରକାର ପ୍ରଦାନ କରିବା କଥା । ତେବେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ସୁଦ୍ଧା ମଜୁରି ବାବଦରେ ସରକାର ୭ ଲକ୍ଷ ୬ ହଜାର ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ବାବଦରେ ୧୦ ଲକ୍ଷ ୫୯ ହଜାର ଓ ମାଲ ବାବଦରେ ୧କୋଟି ୬୦ ଲକ୍ଷ ଟଙ୍କା ବ୍ଲକ୍‌ କାର୍ଯ୍ୟାଳୟକୁ ମିଳି ନଥିବା କୁହାଯାଇଛି ।

ଫଳରେ ଶ୍ରମିକ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନେ ମୂଲଟଙ୍କା ନପାଇ ଦୟନୀୟ ଅବସ୍ଥାରେ ରହିଛନ୍ତି । ସେହିପରି ଜଣେ ଜବ କାର୍ଡଧାରୀଙ୍କୁ ଅତିକମ୍‌ରେ ଶହେଦିନ କାମ ଯୋଗାଇବାକୁ ଯୋଜନାରେ ବ୍ୟବସ୍ଥା ଥିବା ବେଳେ ଆଶ୍ଚର୍ଯ୍ୟର କଥା ଜଳେଶ୍ବର ବ୍ଲକ୍‌ରେ ଚଳିତ ଆର୍ଥିକ ବର୍ଷରେ ମାତ୍ର ୬୬ଟି ପରିବାର ପୂରା ଶହେଦିନ କାମ ପାଇଛନ୍ତି । ସରକାରୀ ଧାର୍ଯ୍ୟ ମଜୁରି ଦର ମଧ୍ୟ ଅଳ୍ପ ରହିଥିବାରୁ ଏହି ଯୋଜନାରେ କାମ କରିବା ପାଇଁ ଧୀରେ ଧୀରେ ଲୋକଙ୍କ ଆଗ୍ରହ କମିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *