ସୂଚନା ଅନୁଯାୟୀ, ୨୦୨୧-୨୨ ମସିହାରେ ରାଜ୍ୟରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତରେ ସମୁଦାୟ ୨ ଲକ୍ଷ ୭୦ ହଜାର ୬୨୧ ପ୍ରକଳ୍ପ ମଧ୍ୟରୁ ୨ ଲକ୍ଷ ୪୯ ହଜାର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଏଥି ଅନ୍ତର୍ଗତ ୭୮.୯ ଲକ୍ଷ ଶ୍ରମିକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ପ୍ରକଳ୍ପ ପାଇଁ ସମୁଦାୟ ସାଢ଼େ ୬ ହଜାର କୋଟି ଖର୍ଚ୍ଚ ହୋଇସାରିଛି । ଟଙ୍କା ଅଭାବ ପ୍ରକଳ୍ପ ଅଗ୍ରଗତିରେ ବାଧା ସୃଷ୍ଟି କରିଛି । ମନରେଗା ପାଇଁ ଆବଶ୍ୟକ କମ୍ପୋନେଣ୍ଟ କ୍ରୟ କରାଯାଇ ପାରୁନଥିବାରୁ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଉଛି । ୨୦୨୧ ମନରେଗା ଯୋଜନା ବାବଦରେ ପୂର୍ବରୁ ମଧ୍ୟ କେନ୍ଦ୍ରସରକାର ଟଙ୍କା ନଦେବାରୁ କେନ୍ଦ୍ରର ଅନୁମତି ସହିତ ଓଡ଼ିଶା ସରକାର ୭୫୨ କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଯେଉଁ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଦେଇନାହିଁ । ତେଣୁ ସମ୍ଭବତଃ ୪୫୦ କୋଟି ଟଙ୍କାର ବୋଝ ନେବାକୁ କେନ୍ଦ୍ର ପ୍ରସ୍ତୁତ ନଥିବା ଅନୁମାନ କରାଯାଉଛି । ଯାହା ବର୍ତ୍ତମାନ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଦିନମଜୁରିଆଙ୍କ ପାଇଁ କାଳ ହୋଇଛି । ମହାମାରୀର ପ୍ରଭାବ ବର୍ତ୍ତମାନ ମଧ୍ୟ ଓଡ଼ିଶା ଉପରେ ବଳବତ୍ତର ରହିଛି । ସେଥିରେ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ ଯୋଗୁଁ ମନରେଗା ଶ୍ରମିକଙ୍କ ପାଇଁ ରୋଜଗାରର ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହେଉଛି । ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ଆଗ୍ରହ ନଦେବା ରାଜ୍ୟ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ହେବା ନେଇ ଆଶଙ୍କା ହେଉଛି ।
ୟୁପିଏ-୧ ମନମୋହନ ସରକାରଙ୍କ ସମୟରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଆରମ୍ଭ ହୋଇଥିଲା । ଏହା କାର୍ଯ୍ୟକାରୀ କରିବା ରାଜ୍ୟ ଦାୟିତ୍ବ କିନ୍ତୁ ଏଥିପାଇଁ ଆବଶ୍ୟକ ଟଙ୍କା କେନ୍ଦ୍ର ଦେଇଥାଏ । ଏପରିକି ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିବାକୁ ଚାହିଲେ ମଧ୍ୟ କେନ୍ଦ୍ରର ଅନୁମୋଦନ ଆବଶ୍ୟକ ପଡ଼େ । କାରଣ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ଯୋଜନା ବାବଦରେ ରାଜ୍ୟ ଖର୍ଚ କରିଥିବା ଟଙ୍କା ଫେରାଇବାକୁ ବାଧ୍ୟ ହୋଇ ଥାଆନ୍ତି । ସରକାର ବଦଳିବା ସହ ମନରେଗା ଯୋଜନା ପ୍ରତି କେନ୍ଦ୍ର ସରକାରଙ୍କ ଗୁରୁତ୍ବ ମଧ୍ୟ ହ୍ରାସ ପାଇଛି । ଲକ୍ଡାଉନ୍ ସମୟ ବ୍ୟତୀତ ନରେନ୍ଦ୍ର ମୋଦୀ ସରକାର ଏହି ଯୋଜନାକୁ କେବେ ମଧ୍ୟ ଗୁରୁତ୍ବ ଦେଇନାହାନ୍ତି । ଏଥିଯୋଗୁଁ ଅଧିକାଂଶ ବର୍ଷ ଯୋଜନା ପାଇଁ ଅର୍ଥ ସଙ୍କଟ ଦେଖାଦେଉଛି ।
