ବିଂଝାରପୁର/ସିଂହପୁର : ଯାଜପୁର ଜିଲ୍ଲାରେ ବାଲି, ଗୋଡି ଓ ପଥର ମାଫିଆ ମାତିଛନ୍ତି । ଆଜି ବିଂଝାରପୁର ତହସିଲଦାର ଦୀପକ ରାଉତଙ୍କୁ ଚୋରାବାଲି ବ୍ୟବସାୟୀମାନେ ଧମକଚମକ ଦେଇ ସେ ଜବତ କରିଥିବା ଚୋରାବାଲି ବୋଝେଇ ଟ୍ରାକ୍ଟର ଛଡାଇ ନେଇଛନ୍ତି । ପୁଲିସ ସହାୟତାରେ ଚୋରା ବେପାରୀଙ୍କ କବଳରୁ ତହସିଲଦାର ଶ୍ରୀ ରାଉତ ମୁକୁଳିବା ପରେ ଥାନାରେ ଏତଲା କରିଛନ୍ତି । ଦଶରଥପୁର ଅଞ୍ଚଳରୁ ଚୋରାରେ ବାଲି ଆଣି ଅଳକୁଣ୍ଡ ଫାଣ୍ଡି ଅଞ୍ଚଳରେ ବ୍ୟାପକ ପରିମାଣରେ ବେପାର କରୁଥିବା ଖବର ପାଇଁ ତହସିଲଦାର ଶ୍ରୀ ରାଉତ ପୁଲିସ କର୍ମଚାରୀଙ୍କ ସହଯୋଗରେ ଚାଲାଣ ହେଉଥିବା ଚୋରାବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ।
ଏହି ଖବର ପାଇଁ ବ୍ୟବସାୟୀ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ସହଯୋଗୀଙ୍କ ସହଯୋଗରେ ଜବତ ଟ୍ରାକ୍ଟର ଚାବି ଛଡାଇ ନେଇଥିଲା । ଚୋରାବାଲି ବେପାରୀଙ୍କ ଦ୍ବାରା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଥିବାର ଲକ୍ଷ୍ୟ କରି ତହସିଲଦାର ଶ୍ରୀ ରାଉତ ଅଳକୁଣ୍ଡ ଫାଣ୍ଡି ପୁଲିସଙ୍କ ସହଯୋଗରେ ଘଟଣାସ୍ଥଳରୁ ଖସି ପଳାଇ ଆସିଥିଲେ । ଏହାକୁ ନେଇ ତହସିଲଦାର ଶ୍ରୀ ରାଉତ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି ।
